ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ବିଦେଶରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଉଭୟ ସେନସାଇ ଶରତ ଏବଂ ତାଙ୍କ ପୁଅ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି।

ଫେବ୍ରୁଆରି ୧୧ ଓ ୧୨ ତାରିଖରେ ଟୋକିଓ ସହରରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ କରାଟେ ଓ କୋବୁଡୋ ପ୍ରତିଯୋଗିତା। ଏଥିରେ ଅଂଶ ଗ୍ରହଣ କରିଥିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ସନ୍ଦୀପ ରାଉତ ୧୫ ବର୍ଷରୁ କମ୍ ବ୍ୟକ୍ତିଗତ କରାଟେ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେହିପରି ଶରତ କୁମାର ରାଉତ ୫୫ ବର୍ଷର କମ୍ ବର୍ଗରେ ବ୍ଲାକବେଲ୍ଟ ମାଷ୍ଟର୍ସ କାଟା ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ହୋଇଥିଲେ।

ସନ୍ଦୀପ ନବରଙ୍ଗପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରଥିବାବେଳେ ସେନସାଇ ଶରତ କୁମାର ରାଉତ ଅନ୍ତର୍ଜାତୀୟ କରାଟେ ଏବଂ କୋବୁଡୋର ପ୍ରଶିକ୍ଷକ ଅଛନ୍ତି।

ସ୍ୱର୍ଣ୍ଣ ପଦକ ବିଜୟୀ ବାପା-ପୁଅ ଯୋଡ଼ିଙ୍କୁ ବିଶ୍ୱ କରାଟେ ଫେଡରସନର ପ୍ରତିଷ୍ଠାତା ଗ୍ରାଣ୍ଡ ମାଷ୍ଟର ନିମୁରା କେଞ୍ଜି ସାନ ଏବଂ ସମ୍ପାଦକ ମାସାକି କେଞ୍ଜୀ ସାନ ସ୍ୱର୍ଣ୍ଣ ପଦକ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ସଫଳତା ପାଇଁ ବିଶ୍ୱ କରାଟେ ଫେଡେରେସନର ସଭାପତି କେଭି ମନହାରନ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶରତ ଏବଂ ସନ୍ଦୀପଙ୍କ ଏହି ସଫଳତା କେବଳ ନବରଙ୍ଗପୁର ଜିଲ୍ଲା ପାଇଁ ନୁହେଁ ବରଂ ଓଡ଼ିଶା ଏବଂ ଭାରତ ପାଇଁ ଗର୍ବର ବିଷୟ ବୋଲି କ୍ରୀଡ଼ା ପ୍ରେମୀମାନ କହିଛନ୍ତି। ଏହି ସଫଳତା ପରେ ଉଭୟଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପ୍ରତିଯୋଗିତାରେ ସେନସାଇ ଶରତ କୁମାର ରାଉତଙ୍କୁ ଇଣ୍ଡିଆ ଆମ୍ବାସାଡର ଭାବେ ନଯୁକ୍ତି ଓ କାର୍ଯ୍ୟଭାର ପ୍ରଦାନ କରାଯାଇଛି।

Tags: #KarateAndKobudo #GoldMedal #InternationalKarateAndKobudoCompetition #SaratKumarRout #SandeepKumarRout #FatherSonDuo

Comment