ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୮ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରି ପାଇଁ  ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ବୁଧବାର ମନ୍ଦିରରେ ହୋଇଥିବା ପ୍ରସ୍ତୁତି ବୈଠକରେ ଏନେଇ ସ୍ଥିର କରାଯାଇଛି। ଏହାଛଡ଼ା ମହାଶିବରାତ୍ରିରେ ମନ୍ଦିରରେ ହେବାକୁ ଥିବା ଅନ୍ୟାନ୍ୟ ନୀତିର କାର୍ଯ୍ୟସୂଚୀ ଜାରି କରାଯାଇଛି।

ମହାଶିବରାତ୍ରି ପାଇଁ ଶନିବାର ଭୋର ୩ ଟା ୩୦ରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ମହାଶିବରାତ୍ରିକୁ ଜାକଜମକରେ ପାଳନ କରିବା ପାଇଁ ମନ୍ଦିର ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବୈଠକରେ ସ୍ଥିର କରାଯାଇଛି। ମହାଶିବରାତ୍ରିରେ ହେବାକୁ ଥିବା ଭଜନ ସମାରୋହରେ ବଲିଉଡ୍ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ଏବଂ ଅନୁରାଧା ପଡୁୱାଲ ଯୋଗ ଦେବେ।

ମହାଶିବରାତ୍ରିରେ ମନ୍ଦିର ତଥା ଭୁବନେଶ୍ଵର ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପୋଲିସ ବ୍ୟବସ୍ଥାର ତତ୍ତ୍ୱାବଧାନ କରିବେ। ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇ ସମଗ୍ର ଅଞ୍ଚଳରେ ନଜର ରଖାଯିବ।

ବୁଧବାର ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକରେ କମିଶନରେଟ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜଟଣୀ ବିଧାୟକ ସୁରେଶଚନ୍ଦ୍ର ରାଉତରାୟ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, ବ୍ରାହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #MahaShivratri #LingarajTemple #PreparatoryMeeting #Bhubaneswar #Odisha

Comment