ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆରମ୍ଭ ହେଉଛି ବ୍ରିଙ୍ଗ ୟୋର ଓନ୍ ଫିଲ୍ମ ଫେଷ୍ଟିଭାଲ (ବିୱାଇଓଏଫଏଫ)-୨୦୨୩। ମଙ୍ଗଳବାରଠାରୁ ପୁରୀର ପିଙ୍କ ଆନେକ୍ସ ହୋଟେଲରେ ଆୟୋଜିତ ହେଉଛି ଏହି ଚଳଚ୍ଚିତ୍ର ଉତ୍ସବର ୨୦ତମ ସଂସ୍କରଣ। ଏହି ୫ ଦିନିଆ ଫିଲ୍ମ ଉତ୍ସବରେ ବିଭିନ୍ନ ପ୍ରକାରର ୬୦ରୁ ଅଧିକ ଫିଲ୍ମ ପ୍ରଦର୍ଶିତ ହେବ। ଭାରତର ଅନେକ ଫିଲ୍ମ ନିର୍ମାତା ମିଳିମିଶି ଏହି ଉତ୍ସବର ଆୟୋଜନ କରୁଛନ୍ତି।

ଏହି ଚଳଚ୍ଚିତ୍ର ଉତ୍ସବରେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ନୂଆ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଫିଲ୍ମକୁ ପ୍ରଦର୍ଶନ କରିବେ। ଚଳଚ୍ଚିତ୍ର ବ୍ୟତୀତ ଏହି ଉତ୍ସବରେ ନୃତ୍ୟ,ସଙ୍ଗୀତ ଏବଂ କବିତା ପାଠ ଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଫିଲ୍ମ ଉତ୍ସବରେ ୪୦୦ରୁ ଅଧିକ ଫିଲ୍ମ ନିର୍ମାତା ଯୋଗ ଦେବେ।

ଚଳଚ୍ଚିତ୍ର ପ୍ରଦର୍ଶନ ଛଡ଼ା ଏହି ଫିଲ୍ମ ଉତ୍ସବରେ ‘ସାହିତ୍ୟ ଆସର’ ନାମକ ଏକ କାର୍ଯ୍ୟକ୍ରମ ହେବ। ଏଥିରେ ଓଡ଼ିଆ,ବଙ୍ଗଳା,ହିନ୍ଦୀ ତଥା ଇଂରାଜୀ ଭାଷାର କବି ଓ ଲେଖକମାନେ ଯୋଗ ଦେବେ। ୨୦୨୩ର ବିୱାଇଓଏଫଏଫ ଫିଲ୍ମ ଉତ୍ସବ ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

୨୦୨୩ର ବିୱାଇଓଏଫଏଫ ଫିଲ୍ମ ଉତ୍ସବରେ ଆୟୋଜକମାନେ ‘ଆଓ-ନେକ୍ସ୍ଟ’ ଓଟିଟି ପ୍ଲାଟଫର୍ମ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଯାହା ଆଗକୁ ଯାଇ ନୂଆ ଫିଲ୍ମ ନିର୍ମାତାମାନଙ୍କୁ ଚଳଚ୍ଚିତ୍ର ନିର୍ମାଣରେ ଆର୍ଥିକ ସହାୟତା କରିବ।

ବିୱାଇଓଏଫଏଫ ଫିଲ୍ମ ଉତ୍ସବ କ’ଣ ?

ବିୱାଇଓଏଫଏଫ ଫିଲ୍ମ ଉତ୍ସବ ଭାରତର ନୂଆ ଫିଲ୍ମ ନିର୍ମାତାମାନଙ୍କୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରୋତ୍ସାହନ ଦେଇଥାଏ। ଏଠାରେ ସେମାନେ ନିଜର ଫିଲ୍ମ ପ୍ରଦର୍ଶନ କରିବା ସହ ଫିଲ୍ମ ନିର୍ମାଣ ସମ୍ପର୍କରେ ଜ୍ଞାନ ହାସଲ କରିଥାନ୍ତି।

ବିୱାଇଓଏଫଏଫ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହେବାକୁ ଚଳଚ୍ଚିତ୍ର ପାଇଁ କୌଣସି ଚୟନ ପ୍ରକ୍ରିୟା ହୁଏ ନାହିଁ କିମ୍ବା ଏଥିପାଇଁ ପୁରସ୍କାର ରହିନଥାଏ।  ଯାହାର ଫିଲ୍ମ ଅଛି, ସେ ଫିଲ୍ମକୁ ଏଠାରେ ଦେଖାଇ ପାରିବେ।

ଏହି ପିଲ୍ମ ଉତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ନିର୍ମାତାମାନଙ୍କୁ କୌଣସି ଅଗ୍ରୀମ ପଞ୍ଜିକରଣ ଆବଶ୍ୟକ ପଡ଼େ ନାହିଁ। ସେମାନେ କାର୍ଯ୍ୟକ୍ରମ ସ୍ଥାନରେ ଏହାର ପଞ୍ଜିକରଣ କରିପାରିବେ।

Tags: #BYOFF-2023 #Filmfestival #Filmmakers #Puri #Odisha

 

Comment