ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରେନ ମ୍ୟାଲେରିଆ ରୋଗର ନିରାକରଣ ଦିଗରେ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ (ଆଇଏଲଏସ)କୁ ମିଳିଛି ବଡ଼ ସଫଳତା। ଭୁବନେଶ୍ଵରସ୍ଥିତ ଆଇଏଲଏସର ବୈଜ୍ଞାନିକ ଡାକ୍ତର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌‌ ବ୍ରେନ୍‌‌ ମ୍ୟାଲେରିଆ ପାଇଁ ଔଷଧ ପ୍ରସ୍ତୁତ କରିଛନ୍ତି। ଏହା ମ୍ୟାଲେରିଆ ତଥା ବ୍ରେନ ମ୍ୟାଲେରିଆରୁ ରୋଗୀଙ୍କ ଜୀବନ ରକ୍ଷା କରିବ। ଏହି ଔଷଧର ନାମ ‘ଗ୍ରିସେଫୁଲଭିନ’ ରଖାଯାଇଛି।

“ସମଗ୍ର ବିଶ୍ୱରେ ଏବେ ମ୍ୟାଲେରିଆ ରୋଗର ସମ୍ପୂର୍ଣ୍ଣ ନିପାତ ହୋଇନାହିଁ। ୨୦୧୫ ପରଠାରୁ ଭାରତରେ ମ୍ୟାଲେରିଆର ମାମଲା ବଢ଼଼ିବାରେ ଲାଗିଛି। ତେବେ ସମସ୍ୟା ହେଉଛି ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର ହେଉଥିବା ଔଷଧ ରୋଗୀଙ୍କ ଠାରେ ପ୍ରତିକୂଳ ପ୍ରଭାବ ପକାଉଛି। ଫଳରେ କେତେକ ମାମଲାରେ ସେମାନଙ୍କ ଜୀବନ ରକ୍ଷା କରିବା ସମ୍ଭବ ହେଉ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସାରେ ରୋଗୀଙ୍କ ଚିକିତ୍ସା କରାଯାଉ ଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ”, କହିଛନ୍ତି ଡାକ୍ତର ଅରୁଣ ନାଗରାଜ।

ସେ ଆହୁରି ମଧ୍ୟ କହିଛନ୍ତି,“ଆର୍ଟେମିସିନିନ୍‌‌ ବେସଡ୍‌‌ କମ୍ବିନେସନ୍‌‌ ଥେରାପି (ଏସିଟି) ଜରିଆରେ ହେଉଥିବା ମ୍ୟାଲେରିଆ ଚିକିତ୍ସାକୁ ଅନୁଧ୍ୟାନ କରି ଆମେ ସଠିକ୍‌‌ ଔଷଧ ପ୍ରସ୍ତୁତ କରିବା ପାଇଁ ଗବେଷଣା ଚଳାଇଥିଲୁ। ନିକଟରେ ଏହି ଔଷଧକୁ ପ୍ରାଣୀ ପରୀକ୍ଷଣ ଫେଜରେ ମୂଷାଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ଏହାର ଫଳାଫଳ ଭଲ ରହିଛି। ଆଗକୁ ଏହାର ମାନବ ପରୀକ୍ଷଣ କରାଯିବ।”

ଏହି ଔଷଧର ବଜାର ମୂଲ୍ୟ ଅପେକ୍ଷାକୃତ କମ୍‌‌ ରହିବ। ଉଭୟ ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇପାରିବ। ପ୍ରଚଳିତ ଚିକିତ୍ସା ପଦ୍ଧତି ସହିତ ନୂଆ ଔଷଧର ବ୍ୟବହାର କରାଯାଇ ପାରିବ।

ବ୍ରେନ ମ୍ୟାଲେରିଆ ସହ ଜାପାନୀ ଜ୍ୱର ନିରାକରଣ ପାଇଁ ମଧ୍ୟ ଏହି ଔଷଧ କାର୍ଯ୍ୟକରୀ ହୋଇପାରିବ ବୋଲି ଆଇଏଲଏସର ବୈଜ୍ଞାନିକମାନେ ବିଶ୍ଵାସ କରୁଛନ୍ତି।

Tags: #Instituteoflifesciences #BrainMalaria #Medicine #Bhubaneswar #Odisha

Comment