ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ଦୁଇ ଏନଏସିରେ ଏପ୍ରିଲ ୩ ତାରିଖରେ ମତଦାନ କରାଯିବ। ଏହାପରେ ଏପ୍ରିଲ ୫ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସେହିଭଳି ଏପ୍ରିଲ ୧୯ ତାରିଖରେ ଏନଏସି ଅଧ୍ୟକ୍ଷ ନିର୍ବାଚନ ହେବ। ଏନେଇ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଏନଏସିରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ ତାରିଖରୁ ଆଶାୟୀମାନେ ନାମାଙ୍କପତ୍ର ଦାଖଲ କରିପାରିବେ। ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହାପରେ ମାର୍ଚ୍ଚ ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପାର୍ଥୀମାନେ ୨୦ ତାରିଖ ସୁଦ୍ଧା ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ପରିବେ।

ବରଗଡ ଜିଲ୍ଲାର ଅତାବିରା ଏନଏସିର ୧୨ଟି ୱାର୍ଡରେ ମୋଟ ୧୩ ହଜାର ୫୨୦ ଭୋଟର ରହିଥିବା ବେଳେ, ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ ୯ ହଜାର ୮୭୭ ଭୋଟର ରହିଛନ୍ତି। ଏପ୍ରିଲ ୧୨ ତାରିଖରେ ଏହି ଦୁଇ ଏନଏସିର କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ନୂଆ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଲକ୍ଷ୍ୟ ରଖିଛନ୍ତି।

Tags: #NACElection #Atabira #Hindol #StateElectionCommission #Odisha

Comment