ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶାର ବାର୍ଷିକ ସମ୍ମିଳନୀ ବୁଧବାର ଭୁବନେଶ୍ଵରେ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଓଡ଼ିଶାରେ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମଏସଏମଇ) ଏବଂ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗ ଓ ସମ୍ଭାବନାକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏଠାରେ ଓଡ଼ିଶାର ଉଦ୍ୟୋଗମାନଙ୍କୁ ଶିଳ୍ପ ବିକାଶରେ ଯୋଗଦାନ କରିବା ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା

ଏହି ଆଲୋଚନା କାର୍ଯ୍ୟକ୍ରମରେ ସିଆଇଆଇ ପୂର୍ବାଞ୍ଚଳ ଜୋନର ଉପାଧ୍ୟକ୍ଷ ଶିବ ସିଦ୍ଧାନ୍ତ କୌଲ, ଜାଭାଷ୍ଟ୍ରା ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ଭୂଷଣ ପାଣି, ବେଦାନ୍ତ କମ୍ପାନିର ସଭାପତି (ବାଣିଜ୍ୟ) ତପନ କୁମାର ଚାନ୍ଦ, ଏଣ୍ଟରପ୍ରାଇଜ ସିଷ୍ଟମ ସଲ୍ୟୁସନର ସିଇଓ ସୁଧୀର ଜୟସ୍ଵାଲ ପ୍ରମୁଖ ଯୋଗ ଦେଇଥିଲେ। ଏହାକୁ ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଶଶୀ ଶେଖର ମହାନ୍ତି ପରିଚାଳନା କରିଥିଲେ।

ସିଆଇଆଇ ଓଡ଼ିଶାର କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଉଦ୍ୟୋଗୀ ଏବଂ ଶିଳ୍ପ ସହ ଜଡ଼ିତ ଅନେକ ଅଂଶୀଦାର ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଏଠାରେ ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ପ୍ରଗତି ତଥା ଏଥିରେ ଥିବା ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ବିଷୟରେ ଆଲୋଚନା କରଯାଇଥିଲା।

ଏହି ସମ୍ମିଳନୀରେ ଓଡ଼ିଶାରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା କମ୍ପାନିଗୁଡ଼ିକୁ ସିଆଇଆଇ ଓଡ଼ିଶା ପକ୍ଷରୁ ପୁରସ୍କୃତ କରାଯାଇଥିଲା।

“ଶିଳ୍ପ ବିକାଶ ପାଇଁ ଏମଏସଏମଇ କ୍ଷେତ୍ରର ଉନ୍ନତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହି କ୍ଷୁଦ୍ର ଉଦ୍ୟୋଗମାନେ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଓଡ଼ିଶାରେ ଏବେ ଏମଏସଏମଇ କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଏଗୁଡ଼ିକର ବିକାଶ ପାଇଁ ସରକାର ଏବେ ଅନେକ ଯୋଜନା ବନାଉଛନ୍ତି। ଏଥିଲାଗି ସିଆଇଆଇ ମଧ୍ୟ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଉଛି”, କହିଛନ୍ତି ସିଆଇଆଇ ପୂର୍ବାଞ୍ଚଳ ଜୋନର ଉପାଧ୍ୟକ୍ଷ ଶିବ ସିଦ୍ଧାନ୍ତ କୌଲ।

 

ସିଆଇଆଇ ଓଡ଼ିଶାର ଆଲୋଚନା ଚକ୍ରରେ ରାଜ୍ୟରେ ପରିବହନ, ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଣ ଆଦି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ବିଷୟରେ ଚର୍ଚ୍ଚା କରାଯାଇଥିଲା। ଭାରତର ଅନ୍ୟ ଶିଳ୍ପ ସମୃଦ୍ଧ ରାଜ୍ୟରେ ଥିବା ଯୋଜନାଗୁଡ଼ିକ ବିଷୟରେ ଏଠାରେ ଆଲୋଚନା କରାଯାଇଥିଲା।

“ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଅନେକ ସୁଯୋଗ ରହିଛି। ଶିଳ୍ପ ପାଇଁ ଆବଶ୍ୟକ ସମସ୍ତ ଖଣିଜ ପଦାର୍ଥ ଓଡ଼ିଶାରେ ରହିଛି। ଏହାଛଡ଼ା ଏହି କ୍ଷେତ୍ର ପାଇଁ ଆବଶ୍ୟକ କୁଶଳୀ ଶ୍ରମିକ ମଧ୍ୟ ଓଡ଼ିଶାରେ ଉପଲବ୍ଧ। ପୂର୍ବବର୍ଷ ଓଡ଼ିଶା ଏମଏସଏମଇ ପଲିସି ୨୦୨୨ ବାହାର କରିଛି। ଏହା ରାଜ୍ୟର ଏମଏସଏମଇ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ”, କହିଛନ୍ତି ଶଶି ଶେଖର ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,“ଓଡ଼ିଶାରେ ଏବେ ଷ୍ଟାଟଅପମାନଙ୍କୁ ବହୁତ ପ୍ରୋତ୍ସାହନ ମିଳୁଛି। ଏହାଦ୍ଵାରା ସେମାନେ ଆଜି ଅନେକ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହେଉଛନ୍ତି। ରାଜ୍ୟରେ ଏବେ ଶିଳ୍ପ କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ରହିଛି, ସେଗୁଡ଼ିକର ସମାଧାନ କରାଗଲେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଭାରତର ଏକ ଅଗ୍ରଣୀ ରାଜ୍ୟ ପାଲଟିବ।”

ସିଆଇଆଇର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ଶିଳ୍ପର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

Tags: #ConfederationofIndianIndustries #CIIOdisha #AnnualMeeting #Bhubaneswar #Odisha

LEAVE A REPLY

Please enter your comment!
Please enter your name here