ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ପୁରୀ ଶ୍ରୀମନ୍ଦିରରେ ଭିନ୍ନକ୍ଷମମାନେ ବହୁତ ସହଜରେ ଠାକୁରଙ୍କ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କ ଲାଗି ସ୍ଵତନ୍ତ୍ର ଝୁଲାର ବ୍ୟବସ୍ଥା କରାଯିବ। ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଭିନ୍ନକ୍ଷମମାନଙ୍କୁ ଝୁଲାରେ ଉତ୍ତର ଦ୍ଵାର ଦେଇ ଶ୍ରୀ ମନ୍ଦିର ଭିତରକୁ ନିଆଯିବ। ଏହାପରେ ସେମାନଙ୍କୁ ଜୟ ବିଜୟ ଦ୍ଵାର ନିକଟକୁ ନିଆଯାଇ ଠାକୁରଙ୍କ ଦର୍ଶନ କରାଯିବ। ଦିନକୁ ଦୁଇ ଥର ଏହି ସେବା ଉପଲବ୍ଧ ହେବ।

ଯେଉଁ ଭିନ୍ନକ୍ଷମମାନେ ଚାଲିବୁଲି ପାରୁନଥିବେ କେବଳ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିନକୁ ୩୦ ଜଣ ଏହି ସୁବିଧାର ବ୍ୟବହାର କରିପାରିବେ।

ଏହି ସେବା ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ଲୋକମାନେ ପଞ୍ଜୀକରଣ କରିପାରିବେ। ଅନଲାଇନ ପଞ୍ଜୀକରଣ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପୋର୍ଟାଲର ବ୍ୟବସ୍ଥା କରାଯିବ। କେଉଁ ସମୟରେ ଭିନ୍ନକ୍ଷମମାନେ ଦର୍ଶନ କରିବେ, ତାହା ଆଗକୁ ଧାର୍ଯ୍ୟ ହେବ। ପ୍ରତି ଦିବ୍ୟାଙ୍ଗଙ୍କ ସହ ଜଣେ ସମ୍ପର୍କୀୟ ଯାଇପାରିବେ।

ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଆସୁଥିବା ଭିନ୍ନକ୍ଷମ ଭକ୍ତମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଅନେକ ବ୍ୟକ୍ତି ଓ ସାମାଜିକ ଅନୁଷ୍ଠାନ ଶ୍ରୀ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ପୂର୍ବରୁ ଓଡ଼ିଶା ହାଇକୋର୍ଟ ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁବିଧା କରିବା ଲାଗି ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଆ‌‌ୟୋଜିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତମାନେ ଯୋଗ ଦେଇଥିଲେ।

Tags: #PuriSrimandir #Differentlyabledpeople #PuriTempleAdministration #Puri #Odisha

 

Comment