ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୩ ହଜାର ୮୧ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ଲୋକର୍ପଣ କରିଥିଲେ। ଏହି ସବୁ ପ୍ରକଳ୍ପ ମଧ୍ୟରେ ‘ବିଜୁ ଏକ୍ସପ୍ରେସ୍ ଓ୍ଵେ’ ଓ ‘ବିଜୁ ଅର୍ଥନୈତିକ କରିଡର’ ଉଦଘାଟିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍ ହଳଦୀପାଲିରୁ ଏବଂ କଳାହାଣ୍ଡି ଜିଲ୍ଲା ବୃନ୍ଦାବହାଲ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ମୁଖ୍ୟମନ୍ତ୍ରୀ ବୃନ୍ଦାବହାଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଥିଲେ।

“ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ପଶ୍ଚିମ ଓଡ଼ିଶାର ଜୀବନ ରେଖା। ଏହି ଏକ୍ସପ୍ରେସ ୱେ କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ରାଜ୍ୟର ବିକାଶର ମାଧ୍ୟମ ପାଲଟିବ। ଏହା ଦ୍ଵାରା ଚାଷୀମାନଙ୍କ ପାଇଁ ବଜାର ସୁବିଧା ଉପଲବ୍ଧ ହେବ। ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସୁବିଧା, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ମଜବୁତ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି,“ ଆଜି ଆରମ୍ଭ ହେଉଥିବା ବିଜୁ ଅର୍ଥନୈତିକ କରିଡର ପୁଞ୍ଜିପତିମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକର୍ଷଣ କରିବ।  ଏବେ ଏଠାରେ ଶିଳ୍ପ କାର୍ଯ୍ୟ ତ୍ଵରାନ୍ଵିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ଏହା ଦ୍ଵାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବା ସହ ପର୍ଯ୍ୟଟନର ବିକାଶ ମଧ୍ୟ ହେବ।”

ରବିବାର ବରଗଡ଼ ଜିଲ୍ଲାର ସୋହେଲାରୁ କଳାହାଣ୍ଡି ଜିଲ୍ଲାର ଆମପାଣି ଯାଏଁ ‘ବିଜୁ ଏକ୍ସପ୍ରେସ ଓ୍ଵେ’ ଉଦଘାଟିତ ହୋଇଛି। ଏହି ଏକ୍ସପ୍ରେସ୍ ୱେର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଜୁ ଅର୍ଥନୈତିକ କରିଡରର ଶୁଭାରମ୍ଭ ହୋଇଛି। ଏଠାରେ ବିଭିନ୍ନ ଶିଳ୍ପ ତଥା ବାଣିଜ୍ୟ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବେ।

ଏହି ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୁଆପଡ଼ା, କଳାହାଣ୍ଡି ତଥା ନବରଙ୍ଗପୁର ଜିଲ୍ଲାକୁ ଅଧିକ ଫାଇଦା ମିଳିବ। ଏହି ଅଞ୍ଚଳରେ ପୁଞ୍ଜିନିବେଶ ପାଇଁ ସରକାରଙ୍କ ତରଫରୁ ନିବେଶକମାନଙ୍କୁ ଟିକସ ବାବଦକୁ ଅତିରିକ୍ତ ୩୦ ପ୍ରତିଶତ ରିହାତି ଦିଆଯିବ।

Tags: #BijuExpressway #BijuEconomicCorridor #CmNaveenPatnaik #WesternOdisha #Odisha

 

Comment