ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଡ୍ରାଇଭରମାନେ ଆରମ୍ଭ କରିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ବୁଧବାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ୧୦ ଦଫା ଦାବି ନେଇ ହଜାର ହଜାର ଡ୍ରାଇଭର ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହା ଦ୍ଵାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ଯାତ୍ରୀଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଡ୍ରାଇଭରମାନେ ନିଜ ପାଇଁ ଉଚିତ ଦରମା, ଚାକିରି ସୁରକ୍ଷା, ବୀମା ଓ ପେନ୍‌ସନ୍ ଭଳି ଦାବି ନେଇ ଏହି ଆନ୍ଦୋଳନ କରୁଛନ୍ତି। ବୁଧବାର ସକାଳୁ ଡ୍ରାଇଭରମାନେ ରାସ୍ତାରେ ହଳଦିଆ ନମ୍ବର ଥିବା ସବୁ ବସ ଓ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଏହାଛଡ଼ା ସେମାନେ ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି।

ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ଓଡ଼ିଶା ଡ୍ରାଇଭର ମହାସଂଘର ଆଲୋଚନା ବିଫଳ ହେବା ଫଳରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଡ୍ରାଇଭରଆମେ ନିଜ ଜିଦରେ ଅଟଳ ରହିବାରୁ ଏବେ ସାରା ରାଜ୍ୟରେ ଯାନାବାହନ ଚଳାଚଳ ପ୍ରଭାବିତ ହୋଇଛି। ଅପରପକ୍ଷେ ଏବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ଏହି ଆନ୍ଦୋଳନର ଯେପରି ପ୍ରଭାବ ନପଡ଼େ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଅନ୍ୟପଟେ ଭୁବନେଶ୍ଵର ବରମୁଣ୍ଡା ଓ କଟକର ବାଦାମବାଡ଼ି ବସ ଷ୍ଟାଣ୍ଡ ସମେତ ରାଜ୍ୟର ପ୍ରମୁଖ ସହରରେ ବସ ଷ୍ଟାଣ୍ଡଗୁଡ଼ିକ ଶୂନଶାନ ହୋଇଯାଇଛି। ରାଜ୍ୟରେ ବସ ଚଳାଚଳ ବନ୍ଦ ହେବା ଫଳରେ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।

Tags: #DriverStrike #OdishaDriverMahasangha #Protest #CommercialVehicles #Odisha

Comment