ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୩ ଦିନ ଧରି ଚାଲୁଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶେଷରେ ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କଠାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବ ପରେ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ ସ୍ଥଗିତ ରଖିବା ନେଇ ଘୋଷଣା କରିଛି। ୩ ମାସ ମଧ୍ୟରେ ଦାବି ପୂରଣ ନହେଲେ ଡ୍ରାଇଭରମାନେ ଆତ୍ମାହୁତି ଦେବେ ସଂଘ ଚେତାବନୀ ଦେଇଛି। ଏନେଇ ଶୁକ୍ରବାର ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

“ଡ୍ରାଇଭରମାନେ ନିଜର ହକ୍ ଓ ସମ୍ମାନ ପାଇଁ କରିଥିବା ଆନ୍ଦୋଳନ ସଫଳ ହୋଇଛି। ଏହି ଆନ୍ଦୋଳନବେଳେ ଅନେକ ଲୋକ ଆମକୁ ସମର୍ଥକ କରିଛନ୍ତି। ଆନ୍ଦୋଳନ ବେଳେ ସାଧାରଣ ଜନତାଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ସେମାନଙ୍କୁ କ୍ଷମା ମାଗୁଛୁ। ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆମେ ଆନ୍ଦୋଳନ ସ୍ଥଗିତ ରଖୁଛୁ”, କହିଛନ୍ତି ପ୍ରଶାନ୍ତ ମେନ୍ଦୁଲି।

ସେ ଆହୁରି ମଧ୍ୟ କହିଛନ୍ତି, “ଆନ୍ଦୋଳନ ଯୋଗୁଁ ଏବେ ବଜାରରେ ଅଭାବ ଦେଖାଦେଇଛି। ଅନେକ ଯାତ୍ରୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ତେଣୁ ଆମେ ଏହି ଆନ୍ଦୋଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ସରକାର ଯଦି ୩ ମାସ ମଧ୍ୟରେ ଆମ ଦାବି ପୂରଣ ନକରନ୍ତି, ତେବେ ଆମେ ସବୁ ଡ୍ରାଇଭର ଆତ୍ମହୁତି ଦେବୁ।”

ଡ୍ରାଇଭର ଆନ୍ଦୋଳନକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ଦଳ ସହ ଗୁରବାର ବୈଠକ ହୋଇଥିଲା। ସରକାର ୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଡ୍ରାଇଭରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶାରେ ସ୍ଥିତି ଜଟିଳ ହେବାକୁ ଲାଗିଥିଲା। ପରିବହନ ଠପ୍ ହୋଇଯିବାରୁ ବଜାରରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖା ଦେଇଥିଲା। ପେଟ୍ରୋଲ ପମ୍ପରେ ମଧ୍ୟ ଲୋକମାଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା। ଆନ୍ଦୋଳନ ସମୟରେ ଅଳ୍ପ ବସ ଚଳାଚଳ କରୁଥିବାରୁ ଅନେକ ଯାତ୍ରୀ ହଇରାଣ ହୋଇଥିଲେ।

Tags: #DriverStrike #OdishaDriverMahasangha #Protest #CommercialVehicles #Market #Odisha

Comment