ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦ ଅନେକବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ବଡ଼ ସମସ୍ୟା ପାଲଟିଛି। ଦୁଇ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ ଦ୍ଵାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଗଠନ କରାଯାଇଥିଲା। ଏହି ଟ୍ରିବ୍ୟୁନାଲର ଗଠନକୁ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ମହାନଦୀ ବିବାଦ ଥମିବାର ନାଁ ନେଉଁନି। ଏବେ ଏହି ଟ୍ରିବ୍ୟୁନାଲ ଏପ୍ରିଲ ମାସରେ ଦୁଇ ରାଜ୍ୟରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମହାନଦୀ ଟ୍ରିବ୍ୟୁନାଲ ଛତିଶଗଡ଼ରେ ଏପ୍ରିଲ ୧୭ ରୁ ୨୧ ତାରିଖ  ଏବଂ ଓଡ଼ିଶାରେ ଏପ୍ରିଲ ୨୯ ରୁ ମେ’ ମାସ ୩ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ରେ ପ୍ରଥମେ ମହାନଦୀର ଉପରମୁଣ୍ଡରୁ କଲମା ବ୍ୟାରେଜ୍ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ହେବ। ଏହାପରେ ପରେ ଓଡ଼ିଶାରେ ଟ୍ରିବ୍ୟୁନାଲ ଦ୍ୱାରା କ୍ଷେତ୍ର ପରିଦର୍ଶନ କରାଯିବ। ଏନେଇ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକର ସୂଚନା ଦେଇଛନ୍ତି

ଏହି କ୍ଷେତ୍ର ପରିଦର୍ଶନରେ ମହାନଦୀର ତଳ ମୁଣ୍ଡକୁ ହେଉଥିବା ଜଳ ପ୍ରବହର ନିରୀକ୍ଷଣ କରିବ ଟ୍ରିବ୍ୟୁନାଲ। ଏହି ସମୟରେ ଦୁଇ ରାଜ୍ୟର ଜଳ ବିଭାଗର ଅଧିକାରୀ ଓ ବିଶେଷଜ୍ଞମାନେ ଟ୍ରିବ୍ୟୁନାଲକୁ ସହଯୋଗ କରିବେ।

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନର ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ନଦୀରେ ଜଳ ପ୍ରବାହ କମ ରହିଛି।  ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ସବୁଠୁ କମ ରହିଛି। ହୀରାକୁଦରେ ମାତ୍ର ୪୮ ପ୍ରତିଶତ ଅର୍ଥାତ ୬୧୬ ଫୁଟ ଜଳ ରହିଛି। ଏହା ଗତ ୧୦ ବର୍ଷରେ ସବୁଠୁ କମ।

ଅନ୍ୟପଟେ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାରେ ରାଜନୀତି ଜୋର୍ ଧରିଛି। ଏହି ମାମଲାକୁ ନେଇ ବିଧାନସଭାରେ ବିରୋଧୀମାନେ ସରକାରଙ୍କୁ ଘେରଛନ୍ତି। ସେହିପରି ରାଜ୍ୟ ସରକାର ଏହି ବିବାଦର ସମାଧାନରେ ବିଳମ୍ବ ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି।

Tags: #MahanadiWaterDispute #MahanadiWaterTribunal #Odisha #Chhattisgarh #WaterDispute

Comment