ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କିଛି ଦିନ ଧରି ଗ୍ରୀଷ୍ମ ପ୍ରବାହ ନିଜର କାୟା ବିସ୍ତାର କରୁଛି। ସକାଳ ୧୦ଟା ବେଳକୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି।  ବୁଧବାର ରାଜ୍ୟର ଏକାଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଏଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସତ୍ୟବ୍ରତ ସାହୁ। ଏଥିଲାଗି ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।

ଏହି ଏସଓପି ଅନୁଯାୟୀ ରାଜ୍ୟରେ ଜୁନ ମାସ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିଲାଗି ସମସ୍ତଙ୍କୁ ସତର୍କ ରହିବା ଲାଗି କୁହାଯାଇଛି। ବିଭିନ୍ନ ଗାଁ ଓ ସହରାଞ୍ଚଳରେ ପିଇବା ପାଣିର ଅସୁବିଧା ରହିଥିଲେ, ସେଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ଏହି ଗ୍ରୀଷ୍ମପ୍ରବାହ ସମୟରେ ଲୋକମାନଙ୍କୁ କ’ଣ କରିବା ଓ ନ’ କରିବା ସମ୍ପର୍କରେ ସରକାରଙ୍କ ତରଫରୁ ଗଣମାଧ୍ୟମରେ ବିଜ୍ଞାପନ ଦିଆଯିବ। ଏହାଛଡ଼ା ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ଓ ପଶୁପକ୍ଷୀ ପାଇଁ ପାଣି ରଖିବାକୁ ଏସଓପିରେ କୁହାଯାଇଛି।

ଅନ୍ୟପଟେ ରାଜ୍ୟର ସବୁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍, ଓଆରଏସ୍‌ ମହଜୁଦ ରଖିବାକୁ କୁହାଯାଇଛି। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଂଶୁଘାତ ୱାର୍ଡ ଖୋଲିବାକୁ ଏସଓପିରେ ନିର୍ଦେଶ ଦିଆଯାଇଛି।

ଏସଓପି ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଲେ, ତହସିଲଦାର କିମ୍ବା ରାଜସ୍ଵ ଅଧିକାରୀଙ୍କ ସହ ସିଡିଏମଓ  ଏହାର ତଦନ୍ତ କରି ରିପୋର୍ଟ ଦେବେ। ଅଂଶୁଘାତ ମୃତ୍ୟୁ ପ୍ରମାଣିତ ହେଲେ କ୍ଷତିପୂରଣ ବ୍ୟବସ୍ଥା କରାଯିବ। ଗ୍ରୀଷ୍ମ ପ୍ରବାହକୁ ନେଇ ଜିଲ୍ଲାରେ ହୋଇଥିବା ବ୍ୟବସ୍ଥାକୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟିକୁ ସମୀକ୍ଷା କରିବାକୁ କୁହାଯାଇଛି।

ସେହିପରି ରାଜ୍ୟର ଶ୍ରମିକମାନଙ୍କୁ ଦିନ ୧୧ ଟାରୁ ଅପରାହ୍ଣ ୩ ଟା ଯାଏଁ କାମ ନ’ କରିବାକୁ କୁହାଯାଇଛି। ଏହାଛଡ଼ା ଶକ୍ତି ବିଭାଗକୁ ଓଡ଼ିଶାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ଅନ୍ୟପଟେ ଏବେ ଖରା ପାଇଁ ଏପ୍ରିଲ ୧୬ ତାରିଖ ଯାଏଁ ସ୍କୁଲ ବନ୍ଦ ରହିଛି। ଏହାପରେ ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବାକୁ ଏସଆରସି କହିଛନ୍ତି।

Tags: #Summer #HeatWave #SOP #SpecialReliefCommissioner #Odisha

Comment