ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଯାଉଥିବା ଓଡ଼ିଶା ବିଜେପିର ପ୍ରତିନିଧି ଦଳକୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଯିବାବେଳେ ଶ୍ରୀପୁରା ଛକରେ ବିଜେପି ଟିମକୁ ପୋଲିସ ଅଟକାଇ ଥିଲା। ଏହାପରେ ସେମାନଙ୍କୁ ଠେଲକୁଲି ଥାନାକୁ ନିଆଯାଇଛି। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ଵରେ ଏହି ଦଳ ସମ୍ବଲପୁର ଗସ୍ତରେ ଯାଇଥିଲା।

ମଙ୍ଗଳବାର ରାଜ୍ୟ ବିଜେପି ପକ୍ଷରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ଏହାବ୍ୟତୀତ ବିଜେପି ହିଂସାକାଣ୍ଡ ବାବଦରେ ଜିଲ୍ଲା ପ୍ରଶାସନ ସହିତ ଅଲୋଚନା କରିଥାନ୍ତା। ଏବେ ଠେଲକୁଲି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

“ରାଜ୍ୟ ସରକାର ବିଜେପିକୁ ଡରୁଛନ୍ତି। ଆମ ପ୍ରତିନିଧି ଦଳକୁ ସମ୍ବଲପୁର ଭିତରକୁ ନ ଛାଡ଼ିବା ପାଇଁ ପୋଲିସ ଲଗାଇଛନ୍ତି। ରାଜ୍ୟ ସରକାର ପୋଲିସ ଓ ସାଧରଣ ଲୋକଙ୍କ ଅଧିକାରକୁ ପ୍ରତିଦିନ ଦବାଉଛନ୍ତି। ଓଡ଼ିଶାରେ ଆଜି ସମସ୍ତଙ୍କ ଅଧିକାରକୁ ସରକାର ହତ୍ୟା କରୁଛନ୍ତି। ଏହାକୁ ନେଇ ଆଗକୁ ଆମେ ସ୍ଵର ଉତ୍ତୋଳନ କରିବୁ”, କହିଛନ୍ତି ମନମୋହନ ସାମଲ।

“ମୁଁ ଜଣେ କେନ୍ଦ୍ରମନ୍ତ୍ରୀ। ସମ୍ବଲପୁର ହିଂସାରେ ଆହତ ହୋଇଥିବା ଲୋକଙ୍କୁ ଆଜି ଭେଟିବାକୁ ଆସିଥିଲି। ଗତକାଲିଠୁ ଆମ ଗସ୍ତ ସମ୍ପର୍କରେ ପ୍ରଶାସନକୁ କୁହାଯାଇଥିଲେ ମଧ୍ୟ ସେମାନେ ଆମକୁ ଅଟକାଇଛନ୍ତି। ଏସବୁ ଯାହା ହେଉଛି, ବ୍ରିଟିଶ ଶାସନକୁ ବି ପଛରେ ପକାଇଦେବ। ଏହା ଅତି ଦୁର୍ଭାଗ୍ୟଜନକ ଘଟଣା”, କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ।

ଓଡ଼ିଶା ବିଜେପିର ପ୍ରତିନିଧି ଦଳରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ପ୍ରମୁଖ ସାମିଲ ଥିଲେ। ଏହାଛଡ଼ା ବିଜେପିର ଅନେକ କର୍ମକର୍ତ୍ତା ଏହି ଦଳ ସହ ସମ୍ବଲପୁର ଗସ୍ତରେ ସାମିଲ ହୋଇଥିଲେ।

ସମ୍ବଲପୁରରେ ବୁଧବାର ଦିନ ହନୁମାନ ଜୟନ୍ତୀ ସମନ୍ଵୟ ସମିତିର ଶୋଭାଯାତ୍ରା ଉପରକୁ ପଥରମାଡ଼ ହୋଇଥିଲା। ଏହାକୁ କେନ୍ଦ୍ରକରି ସହରରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏହାପରେ ଶୁକ୍ରବାର ରାତିରେ ଶୋଭାଯାତ୍ରାରେ ସାମିଲ ଥିବା କିଛି ଯୁବକଙ୍କୁ ଖଣ୍ଡା ଏବଂ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରଠାରୁ ସହରରେ ଭଙ୍ଗାରୁଜା, ପୋଡ଼ାଜଳା ଆରମ୍ଭ ହୋଇଥିଲା। ଅଶାନ୍ତ ହୋଇପଡ଼ିଥିଲା ସମ୍ବଲପୁର। ପରିସ୍ଥିତିରେ ସୁଧାର ଆଣିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଲଗାଯିବା ସହ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି। ପୋଲିସ ପକ୍ଷରୁ ଏହି ମାମଲାରେ ଏ ପର୍ଯ୍ୟନ୍ତ ୭୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

Tags: #SambalPur #HanumanjayantiViolence #BjpTeamVisit #OdishaBjp

 

Comment