ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦକୁ ନେଇ ଅନେକ ଦିନଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଏବେ ଛତିଶଗଡ଼ରେ ମହାନଦୀ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଏହି ଜଳ ବିବାଦକୁ ନେଇ ବୁଧବାର ଦିନ ବୟାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ମହାନଦୀର ଜଳ ଛତିଶଗଡ଼ ରାଜ୍ୟ ପାଇଁ ଅଧିକ ଆବଶ୍ୟକ ଥିବା ସେ କହିଛନ୍ତି।

“ମହାନଦୀ ହେଉଛି ଛତିଶଗଡ଼ର ଲାଇଫ ଲାଇନ। ରାଜ୍ୟର ୭୮ ପ୍ରତିଶତ ଲୋକ ଏହାର ଅବବାହିକାରେ ବସବାସ କରନ୍ତି। ଛତିଶଗଡ଼ରେ ମହାନଦୀର ଉତ୍ପତ୍ତି ହୋଇଥିଲେ ମଧ୍ୟ ଏହାର ଅଧିକାଂଶ ଜଳ ଓଡ଼ିଶାକୁ ପ୍ରବାହିତ ହେଉଛି। ଛତିଶଗଡ଼ରେ ମହାନଦୀ ଉପରେ କୌଣସି ଡ୍ୟାମ ନାହିଁ। କେବଳ ବ୍ୟାରେଜ ନିର୍ମାଣକୁ ନେଇ ଏହି ବିବାଦ ହୋଇଛି। ତେଣୁ ଏହି ମାମଲା ଟ୍ରିବ୍ୟୁନାଲ୍ ପାଖକୁ ଯିବାର ନଥିଲା”, କହିଛନ୍ତି ଭୂପେଶ ବଘେଲ।

ସେ ଆହୁରି ମଧ୍ୟ କହିଛନ୍ତି, “ମହାନଦୀ ମାମଲା ଟ୍ରିବ୍ୟୁନାଲ୍ ପାଖକୁ ଯିବା ପରଠାରୁ ଆମେ ନଦୀ ଉପରେ ନୂଆ ବ୍ୟାରେଜ କିମ୍ବା ଆନିକଟ ନିର୍ମାଣ କରିପାରୁ ନାହୁଁ। ଏବେ ଆମ ରାଜ୍ୟରେ ପାଣିର ସମସ୍ୟା ଦେଖାଗଲାଣି। ଏଥିପାଇଁ ଏହି ମାମଲାର ସମାଧାନ ପରେ ଆମକୁ ଡ୍ୟାମ ଓ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିବା ଉଚିତ।”

ଏହି ମାମଲାରେ କେନ୍ଦ୍ର ଜଳ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ମହାନଦୀ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ରାଜ୍ୟ ସରକାର ଏହାର ସମାଧାନ ପାଇଁ ବିଶେଷ ଧ୍ୟାନ ଦେଉନାହାନ୍ତି ବୋଲି ସେ କହିଛନ୍ତି।

“କୌଣସି ରାଜ୍ୟକୁ ୨୦୦୦ ହେକ୍ଟର ଜଳସେଚନ କ୍ଷମତା ବିଶିଷ୍ଟ ଛୋଟ ବ୍ୟାରେଜ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼େ ନାହିଁ। ଛତିଶଗଡ଼ ନିଜ ଆବଶ୍ୟକତା ଅନୁସାରେ ମହାନଦୀରେ ଛୋଟ ଛୋଟ ବ୍ୟାରେଜ ନିର୍ମାଣ କରୁଛି। ଓଡ଼ିଶା ସରକାର ମଧ୍ୟ ଚାହିଁଥିଲେ ସେଭଳି ଭାବେ ମହାନଦୀ ତଳମୁଣ୍ଡରେ ଛୋଟ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ”, କହିଛନ୍ତି ବିଶ୍ଵେଶ୍ଵର ଟୁଡ଼ୁ।

ଏବେ ମଙ୍ଗଳବାରଠାରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛନ୍ତି। ଏନେଇ ବୁଧବାର ଦିନ ଟ୍ରିବ୍ୟୁନାଲ୍ ମହାନଦୀର ଉତ୍ପତ୍ତିସ୍ଥଳ ଓ ଅନ୍ୟ ୩ଟି ସ୍ଥାନକୁ ଗସ୍ତ କରିଛନ୍ତି। କ୍ଷେତ୍ର ପରିଦର୍ଶନରେ ମହାନଦୀର ଉପରମୁଣ୍ଡରୁ ତଳମୁଣ୍ଡକୁ ହେଉଥିବା ଜଳପ୍ରବାହର ନିରୀକ୍ଷଣ କରାଯିବ। ଟ୍ରିବ୍ୟୁନାଲ୍ ଦ୍ଵାରା ମହାନଦୀ ଅଞ୍ଚଳର ୨୦ଟି ସ୍ଥାନରେ ଏହି କ୍ଷେତ୍ର ପରିଦର୍ଶନ ହେବ।

ଏବେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରି ରହିଛି। ଏହା ଏପ୍ରିଲ ୨୩ ତାରିଖ ଯାଏଁ ଚାଲିବ। ଏହାପରେ ଏପ୍ରିଲ ମାସ ୨୯ ତାରିଖରୁ ମେ’ ମାସ ୩ ତାରିଖ ଯାଏଁ ଓଡ଼ିଶାରେ ମୁଣ୍ଡୁଳି ବ୍ୟାରେଜ ଯାଏଁ ମହାନଦୀର କ୍ଷେତ୍ର ପରିଦର୍ଶନ କରାଯିବ।

ଏହି କ୍ଷେତ୍ର ପରିଦର୍ଶନରେ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକର, ଏହର ସଦସ୍ୟ ଏବଂ ଓଡିଶା ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗର ପ୍ରତିନିଧି ଦଳ ଯୋଗ ଦେଇଛନ୍ତି।

ଓଡ଼ିଶାର ପ୍ରତିନିଧି ଦଳରେ ରାଜ୍ୟ ଜଳ ସମ୍ପଦ ସ୍ୱତନ୍ତ୍ର ସଚିବ ତ୍ରିବିକ୍ରମ ପ୍ରଧାନ, ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ, ୪ ଜଣ ଆଇନଜୀବୀଙ୍କ ଓ କିଛି ବିଶେଷଜ୍ଞ ସମେତ ମୋଟ ୨୦ ଜଣ ସଦସ୍ୟ ରହିଛନ୍ତି। ସେମାନେ ଟ୍ରିବ୍ୟୁନାଲକୁ ମହାନଦୀକୁ ନେଇ ଥିବା ଓଡ଼ିଶାର ଆଭିମୁଖ୍ୟ ଓ ଛତିଶଗଡ଼ର ଏକତରଫା ଜଳ ଅଟକାଇବା ବିଷୟରେ ଅବଗତ କରାଇବେ।

ଅନ୍ୟପଟେ ଏହି ମମାଲାରେ ଓଡ଼ିଶା ସରକାରଙ୍କ ପକ୍ଷ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି।

“ଓଡ଼ିଶା ସରକାର ମହାନଦୀ ମାମଲାରେ ଟ୍ରିବ୍ୟୁନାଲକୁ ସବୁ ପ୍ରକାର ସହଯୋଗ କରୁଛନ୍ତି। ଓଡ଼ିଶା ଏହି ମାମଲାର ଶୀଘ୍ର ସମାଧାନ ଚାହେଁ।  ଅନ୍ୟପଟେ ମହାନଦୀ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଇଛି। ଯାହାକୁ ନେଇ ପୂର୍ବେ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗଙ୍କୁ ଚିଠି ଲେଖିଥିଲେ”, କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଅନେକ ଦିନରୁ ଚାଲୁଅଛି। ମହାନଦୀ ଉପରେ ଛତିଶଗଡ଼ର ପ୍ରସ୍ତାବିତ ଡ୍ୟାମ ଓ ବ୍ୟାରେଜ ନିର୍ମାଣକୁ କେନ୍ଦ୍ର କରି ଓଡ଼ିଶା ସରକାର ୨୦୧୬ ମସିହାରେ କେନ୍ଦ୍ର ଜଳ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ର ସରକାର ଏହି ମମାଲାର ସମାଧାନ ପାଇଁ ୨୦୧୮ ମସିହା ମାର୍ଚ୍ଚ ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଗଠନ କରିଥିଲେ।

ଏବେ ଟ୍ରିବ୍ୟୁନାଲ ମହାନଦୀ ବିବାଦ ମାମଲାର ନିରୀକ୍ଷଣ କରୁଥିବାବେଳେ, ଏହାର କେବେ ସମାଧାନ ହେବ ତାହା ସମୟ କହିବ।

Tags: #MahanadiWaterDispute #MahanadiWaterTribunal #Odisha #Chhattisgarh #WaterDispute

 

LEAVE A REPLY

Please enter your comment!
Please enter your name here