ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ ଉପରେ କଟକଣାକୁ ଆଉ ୪୮ ଘଣ୍ଟା ଯାଏଁ ବଢ଼ାଯାଇଛି। ଏଥିସହ ସୋସିଆଲ ମିଡିଆ ଉପରେ ମଧ୍ୟ ରୋକ ଜାରି ରହିବ। ଏପ୍ରିଲ ୨୨ ତାରିଖ ସକାଳ ୧୦ଟା ଯାଏଁ ଏହି ସେବାଗୁଡ଼ିକ ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସହରରେ ଲାଗିଥିବା କର୍ଫ୍ୟୁକୁ ଧୀରେ ଧୀରେ କୋହଳ କରାଯାଉଛି।

ସମ୍ବଲପୁର ସହରର ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହେବା ଯାଏଁ ମୋବାଇଲ ଇଣ୍ଟରନେଟ ସେବା ଉପରେ କଟକଣା ରହିବ। ସୋସିଆଲ ମିଡିଆ ମାଧ୍ୟମରେ କେହିବି ଯେପରି ହିଂସାକୁ ଉସକାଇବାକୁ ଉଦ୍ୟମ ନକରନ୍ତି ସେ ନେଇ ଧ୍ୟାନ ଦିଆଯାଉଛି।

ଏବେ ସମ୍ବଲପୁରରେ କେବଳ ବ୍ରଡବ୍ୟାଣ୍ଡ ଓ ଲିଜ ଲାଇନରେ ହିଁ ଇଣ୍ଟରନେଟ ମିଳୁଛି। ଏହି ସେବା ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏଁ ଉପଲବ୍ଧ ହେଉଛି। ବୁଧବାରଠାରୁ ଏହି ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି।

ଅନ୍ୟପଟେ ଏବେ ସମ୍ବଲପୁରରେ ଲାଗିଥିବା କର୍ଫ୍ୟୁକୁ ୧୧ ଘଣ୍ଟା ଯାଏଁ କୋହଳ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ଦୋକାନ ବଜାର ଖୋଲା ରହିବ।

ସମ୍ବଲପୁରରେ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଉପଲକ୍ଷେ ହେଉଥିବା ଶୋଭାଯାତ୍ରା ଉପରକୁ ପଥରମାଡ଼ ହୋଇଥିଲା। ଏହାକୁ କେନ୍ଦ୍ର କରି ଦୋକାନ ବଜାର ଭଙ୍ଗାରୁଜା ସହ ଗାଡ଼ିମଟର ପୋଡ଼ାଜଳା ହୋଇଥିଲା। ଏଥିରେ ଅନେକ ଲୋକଙ୍କ ସହ ୧୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଥିଲେ।

ଅନ୍ୟପଟେ ହିଂସାକାଣ୍ଡ ବଢ଼ିବାରୁ ଶୁକ୍ରବାରଠାରୁ ସମ୍ବଲପୁରରେ କର୍ଫ୍ୟୁ ଜାରି କରଯାଇଥିଲା। ଏଥିସହ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେବାଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏହି ମମାଲାରେ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

Tags: #SambalPurViolence #InternetBan #Curfew #HanumanJayantiViolence

Comment