ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସାର ଅନୁଧ୍ୟାନ କରିବା ପାଇଁ ବିଜେପି ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଗଠନ କରିଛି। ଏହି ଦଳ ମେ’ ୧ ତାରିଖରେ ସମ୍ବଲପୁର ଗସ୍ତ କରି ଘଟଣାର ସ୍ଥିତି ଅନୁଧ୍ୟାନ କରିବ। ଏହାଛଡ଼ା ଦଳ ସମ୍ବଲପୁର ହିଂସାରେ ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ପରିବାରକୁ ଦେଖା କରିବ। ଏନେଇ ଶନିବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଏହି ଗସ୍ତ ସମୟରେ ବିଜେପିର କେନ୍ଦ୍ରୀୟ ଦଳ ହନୁମାନ ଜୟନ୍ତୀ ହିଂସାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବା। ଏହାଛଡ଼ା ହିଂସାରେ ଆହତ ହୋଇଥିବା ଲୋକମାନଙ୍କୁ ମଧ୍ୟ ପ୍ରତିନିଧି ଦଳର ସଦସ୍ୟମାନେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ ସମୟରେ ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଯାହାକୁ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଦିଆଯିବ।

ଶୁକ୍ରବାର ଦିନ ସମ୍ବଲପୁର ହିଂସାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଏକ ଚାରି ଜଣିଆ ପ୍ରତିନିଧି ଦଳ ଗଠନ କରିଥିଲେ। ଏଥିରେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗର ପୁରୁଲିଆରୁ ଲୋକସଭା ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି।

ଏହି ସମ୍ବଲପୁର ହିଂସାରେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତ୍ୟୁର ତଥ୍ୟ ଜାଣିବା ପାଇଁ ପୂର୍ବରୁ ଜାତୀୟ ଜନଜାତି ଆୟୋଗ ତଦନ୍ତ କରିଥିଲା। ଏନେଇ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକ ସମ୍ବଲପୁର ଗସ୍ତ କରି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେ ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ପରିବାର ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ସମ୍ବଲପୁରରେ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଉପଲକ୍ଷେ ହେଉଥିବା ଶୋଭାଯାତ୍ରା ଉପରକୁ ପଥରମାଡ଼ ହୋଇଥିଲା। ଏହାକୁ କେନ୍ଦ୍ର କରି ହିଂସା କାଣ୍ଡ ଘଟିଥିଲା। ଏଥିରେ ଅନେକ ଦୋକାନ ବଜାର ଭଙ୍ଗାରୁଜା ସହ ଗାଡ଼ିମଟର ପୋଡ଼ାଜଳା ହୋଇଥିଲା। ଏହି ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାଛଡ଼ା ଅନେକ ଲୋକ ଓ ୧୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଥିଲେ।

Tags: #Sambalpur #HanumanJayantiViolence #BJPCentralTeam #SambalpurVisit

Comment