ଓଡ଼ିଶାଲାଇଭ୍ ବ୍ୟୁରୋ

 

ଓଡ଼ିଶାରେ ସରକାରୀ ଡାକ୍ତରମାନଙ୍କୁ ନିଜ ଚାକିରି ଜୀବନରେ ୪ ଥର ପଦୋନ୍ନତି ମିଳିବ। ଏନେଇ ରାଜ୍ୟ ସରକାର ସମୟାନୁଭିତ୍ତିକ ପଦୋନ୍ନତି ବ୍ୟବସ୍ଥା (ଡିଏସିପି) ନିୟମ‌ରେ ପରିବର୍ତ୍ତନ କରିଛନ୍ତି। ଏହି ନିୟମ କେବଳ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ଵାରା ନିଯୁକ୍ତ ଡାକ୍ତରଙ୍କ କ୍ଷେତ୍ରରେ ଲାଗୁ ହେବ। ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏହି ନିର୍ଦେଶ ଜାରି ହୋଇଛି।

ଓଡ଼ିଶା ମେଡିକାଲ ଏଣ୍ଡ ହେଲ୍‌ଥ ସର୍ଭିସରେ (ଓଏମଏଚଏସ୍‌) ନିଯୁକ୍ତି ପାଉଥିବା ଡାକ୍ତରଙ୍କ ପୂର୍ବରୁ ମାତ୍ର ୩ ଥର ପଦୋନ୍ନତି ହେଉଥିଲା। ଚାକିରିର ୭ ବର୍ଷ, ୧୪ ବର୍ଷ ଓ ୨୧ ବର୍ଷରେ ସେମାନଙ୍କୁ ପଦୋନ୍ନତି ବା ଡିଏସିପି ମିଳୁଥିଲା। ଏବେ ନୂଆ ନିୟମ ଲାଗୁହେବା ପରେ ଡାକ୍ତରଙ୍କୁ ଚାକିରିର ୬ ବର୍ଷ, ୧୨ ବର୍ଷ, ୧୮ ବର୍ଷ ଓ ୨୪ ବର୍ଷରେ ମୋଟ ୪ଟି ଡିଏସିପି ମିଳିବ। ପ୍ରତି ୬ ବର୍ଷରେ ସେମାନଙ୍କ ପଦୋନ୍ନତି ହେବ। ଏନେଇ ଡାକ୍ତରମାନଙ୍କ ଅନେକ ଦିନ ଧରି ଦାବି ରହିଥିଲା।

“ପଦୋନ୍ନତିର ଏହି ନୂଆ ନିୟମ ଦ୍ଵାରା ରାଜ୍ୟର ଅଧିକାଂଶ ଡାକ୍ତର ଉପକୃତ ହେବେ। ଏହା ଯୁବ ଡାକ୍ତରମାନଙ୍କୁ କାର୍ଯ୍ୟରେ ଭଲ କରିବା ପାଇଁ ଉତ୍ସାହିତ କରିବ। ଏବେ ଏହି ବ୍ୟବସ୍ଥାକୁ ଦନ୍ତ ଚିକିତ୍ସକଙ୍କ କ୍ୟାଡରରେ ମଧ୍ୟ ଲାଗୁ କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ଏହି ନିୟମ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଦେଶର ଅଗ୍ରଣୀ କରିବ ବୋଲି ମୋର ଆଶା”, କହିଛନ୍ତି  ଓଡ଼ିଶା ମେଡିକାଲ ସେବା ସଂଘର (ଓମସା) ସଭାପତି ଡାକ୍ତର ନାରାୟଣ ରାଉତ।

ଅନ୍ୟପଟେ ଏହି ସୁବିଧା ପାଇବା ପାଇଁ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଡିଏସିପି ସୁବିଧା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍କ୍ରିନିଂ କମିଟି ଗଠନ କରିବ। ଏଥିରେ ଆବଶ୍ୟକୀୟ ସର୍ତ୍ତ ପୂରଣ କରୁଥିବା ନାମକୁ ସୁପାରିଶ କରାଯିବ। ସ୍କ୍ରିନିଂ କମିଟିର ସୁପାରିଶ ଆଧାରରେ ଡାକ୍ତରଙ୍କୁ ପଦୋନ୍ନତି ମିଳିବ।

Tags: #Doctors #Promotion #DACP #OPSC #H&FWDept #Odisha

Comment