ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ଖରାର ପ୍ରକୋପ କମିଛି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସୋମବାର କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ୯ଟି ଜିଲ୍ଲାରେ ଝଡ଼ବର୍ଷା ସହ କୂଆପଥର ପଡ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଏବେ ହିମାଳୟ ପାଦଦେଶ ଅଞ୍ଚଳ ତଥା ଗାଙ୍ଗେୟ ଉପତ୍ୟକାରେ ବାୟୁମଣ୍ଡଳୀୟ ଚାପ କମ ରହିଛି। ଏଥିସହ ପଶ୍ଚିମାଝଡ଼ର ପ୍ରଭାବ ଏବେ କମି ନାହିଁ। ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ।

ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ସାମିଲ ରହିଛି। ଏହି ଜିଲ୍ଲାଗୁଡ଼ିକରେ ସୋମବାର ଦିନ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ବାହରେ ନ ରହି ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକମାନଙ୍କୁ ସତର୍କ କରାଯାଇଛି। ବର୍ଷା ପବନ ପ୍ରଭାବରେ ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ଫସଲ ଅମଳ କରିବା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ରବିବାର ଦିନ କାଳବୈଶାଖୀ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଜୋରରେ ପବନ ହୋଇଥିଲା। କଳାହାଣ୍ଡି ଜିଲ୍ଲାର କୋକସରାଠାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ବରଗଡ଼ ଜିଲ୍ଲାର ଅତାବିରାରେ ୫୬.୪, ନବରଙ୍ଗପୁରର ଡାବୁଗାଁଠାରେ ୫୬.୨, ସମ୍ବଲପୁରର ବୁର୍ଲାଠାରେ ୫୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Tags: #Rain #Odisha #KalaBaisakhi #HailStorm #OrangeAlert #MeteorologicalCentre

Comment