ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଏହା ଫଳରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମିଛି। ପ୍ରବଳ ଗରମରୁ ଲୋକମାନେ ରକ୍ଷା ପାଇଛନ୍ତି। ତେବେ ରାଜ୍ୟରେ ଆଉ ୫ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବ। ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ଶୁକ୍ରବାର ଦିନ ଓଡ଼ିଶାର ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ରହିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ କୂଆପଥର ପଡ଼ିବାର ସମ୍ଭାବନା ରହିଛି।

ଅନ୍ୟପଟେ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଶୁକ୍ରବାର ଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି କାଳବୈଶାଖୀ ପାଇଁ ଗୁରୁବାର ଦିନ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ହୋଇଥିବା ଦେଖାଯାଇଛି। ଏନେଇ ପୂର୍ବରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା।

Tags: #Rain #Odisha #KalaBaisakhi #HailStorm #OrangeAlert #MeteorologicalCentre

 

Comment