ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ତେବେ ମେ’ ମାସ ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଓଡ଼ିଶା ସମେତ ଭାରତର ପୂର୍ବ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

“ଏ ବର୍ଷ ମେ’ ମାସରେ ତାପମାତ୍ରା ଅଧିକ ରହୁଥିବାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏବେ ଏହା କେବଳ ଘନିଭୂତ ହୋଇ ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଉଛି। ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଯଦି ବାତ୍ୟା ହେବ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ”, କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଏବେ କିଛି ବର୍ଷ ହେବ ଖରା ଦିନରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି। ଏହି ଲଘୁଚାପ ବେଳେବେଳେ ବାତ୍ୟାରେ ପରିଣତ ହୋଇ ରାଜ୍ୟରେ ଅନେକ କ୍ଷୟକ୍ଷତି କରୁଛି। ପୂର୍ବରୁ ବାତ୍ୟା ଫନି ଓ ଅମ୍ପାନ ପ୍ରଭାବରେ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଥିଲା। ଖରା ଦିନିଆ ବାତ୍ୟାର ମୁକବିଲା ପାଇଁ ଏବେ କିଛି ଦିନ ତଳେ ରାଜ୍ୟ ସରକାର ପ୍ରସ୍ତୁତି ବୈଠକ କରିଥିଲେ।

ଅନ୍ୟପଟେ ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆହୁରି ୪ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିପାଇଁ ଶନିବାର ଦିନ ଓଡ଼ିଶାର ୭ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ବର୍ଷା ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

Tags: #Lowpressure #BayofBengal #Rain #Cyclone #Odisha #IMD

 

Comment