ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜସ୍ଥାନରେ କ୍ଷମତା ହାତେଇବାକୁ ସଚିନ ପାଇଲଟ ଏବଂ ଆଶୋକ ଗେହଲଟଙ୍କ ମଧ୍ୟରେ ଚାଲିଛି ରାଜନୈତିକ ଲଢ଼େଇ।

ରାଜସ୍ଥାନ ରାଜନୀତି ଏବେ ଉଠୁଛି ପଡ଼ୁଛି। ଗୋଟିଏ ମୁଖ୍ୟ ଆସନ ଉପରେ ଦୁଇଜଣ ତୁଙ୍ଗ ନେତାଙ୍କ ନଜର ରହିଛି। କ୍ଷମତା ଲୋଭରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ଲଢ଼େଇ।

ଆଉ ୮ ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଅଶୋକ ଗେହଲଟ ସରକାରଙ୍କ ବିରୋଧରେ ମୁଣ୍ଡଟେକିଛି ଜନଅସନ୍ତୋଷ। ୧୯୯୮ ମସିହାରୁ କୌଣସି ଦଳ ଲଗାତର ଦୁଇଥର ସରକାର କରିବାକୁ ସକ୍ଷମ ହୋଇନାହାନ୍ତି। ଏମିତି ସ୍ଥିତିରେ ଗେହଲଟ ପୁଣିଥରେ କ୍ଷମତାକୁ ଆସିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତେଲେ ସଚିନ ପାଇଲଟ ତାଙ୍କ ପାଇଁ କଣ୍ଟା ସଦୃଶ ହୋଇଛନ୍ତି।

ସଚିନଙ୍କ ପାଇଁ ରାଜସ୍ଥାନ ରାଜନୀତିରେ କି ପରିବର୍ତ୍ତନ ହେବ ତାହା ମଧ୍ୟ ସ୍ପଷ୍ଟ ଜଣାପଡୁନି। କଂଗ୍ରେସରେ କେବେ ପାଳିପଡ଼ିବ ସେ ଅପେକ୍ଷାରେ ଥିବା ସଚିନ ମଝିରେ ମଝିରେ ଦଳ ପାଇଁ ରାଜନୈତିକ ଅଡ଼ୁଆ ମଧ୍ୟ ସୃଷ୍ଟି କରୁଛନ୍ତି।

କ’ଣ ହେବ ସଚିନଙ୍କ ଭାଗ୍ୟ?

ସଚିନ ପାଇଲଟ ରାଜସ୍ଥାନ କଂଗ୍ରେସର ଏକ ଅସନ୍ତୁଷ୍ଚ ଚେହେରା। ଦିନେ ରାଜ୍ୟ ରାଜନୀତିକୁ ଆସିବାକୁ ଆଦୌ ଆଗ୍ରହୀ ନଥିବା ସଚିନ ଏବେ ରାଜ୍ୟ ରାଜନୀତିରେ ସକ୍ରିୟ। ମୁଖ୍ୟମନ୍ତ୍ରୀ ହେବାର ମୋହରେ ଏବେ ନିଜ ଗୋଡ଼ରେ କୁରାଢୀ ମାରିବାରେ ଲାଗିଛନ୍ତି ସଚିନ। ରାଜନୀତିରେ ଧୈର୍ଯ୍ୟ ଓ ଠିକ୍ ସମୟକୁ ଅପେକ୍ଷା କରିବା ହିଁ ଗୁରୁତ୍ଵପୂର୍ଣ୍ଣ। ଏ ସଂଯୋଗ ନ ହେଲେ ସୁଯୋଗ ମିଳିବା ସମ୍ଭବ ନୁହେଁ। ସଚିନଙ୍କ ଏ ବ୍ଲାକ୍‌ମେଲିଂ କୌଶଳ କେବଳ ସଚିନଙ୍କ କ୍ୟାରିଅରକୁ କ୍ଷତିଗ୍ରସ୍ତ କରିବ ବୋଲି ରାଜନୀତି ସମୀକ୍ଷମାନଙ୍କ ମତ।

ରାଜସ୍ଥାନରେ ଦେଖାଦେବ କି ପଞ୍ଜାବ ସ୍ଥିତି?

ପୁରୁଣା ରେକର୍ଡ ଭାଙ୍ଗି ନିର୍ବାଚନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଅଶୋକ ଗେହଲଟ। କାରଣ ଆସନ୍ତା ନିର୍ବାଚନ ତାଙ୍କ ନେତୃତ୍ଵରେ ଲଢ଼ାଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। କଂଗ୍ରେସ ବି ଗେହଲଟଙ୍କୁ ଛାଡ଼ି ସଚିନଙ୍କ ଉପରେ ଭରସା କରିପାରୁନି। ପଞ୍ଜାବ ସ୍ଥିତି ଉପୁଜିବାର ଆଶଙ୍କାରେ ରହିଥିବା କଂଗ୍ରେସ ନିଜେ ଦ୍ଵନ୍ଦ୍ଵରେ ରହିଛି।

ପଞ୍ଜାବରେ ନଭଜୋତ ସିଂହ ସିଦ୍ଧୁ-ଅମରିନ୍ଦର ସିଂହଙ୍କ ମଧ୍ୟରେ ବିବାଦ ପାଇଁ ଅମରିନ୍ଦର ଗଲେ ଓ କଂଗ୍ରେସ ବି ଗଲା। ସେଠାରେ ସିଦ୍ଧୁ ଓ ଅମରିନ୍ଦରଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତ ସିଂହ ଚନ୍ନି କଂଗ୍ରେସର ଡଙ୍ଗା ଡୁବାଇ ଦେଇଥିଲେ।

ରାଜନୀତି ସମୀକ୍ଷକଙ୍କ ମତରେ ପଞ୍ଜାବ ଭଳି ସ୍ଥିତି ଏଠାରେ ଦୋହରାଇବାକୁ ଚାହୁଁନାହିଁ କଂଗ୍ରେସ। ଯଦି ଗେହଲଟଙ୍କୁ ହଟାଇ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ କଂଗ୍ରେସକୁ କ’ଣ ଫାଇଦା ମିଳିବ ବୋଲି ପ୍ରଶ୍ନ ଉଠୁଛି? ନିର୍ବାଚନ ବର୍ଷରେ  ଯଦି ବିଦ୍ରୋହ ବଢ଼ିଗଲା ତେବେ ସବୁ ଓଲଟପାଲଟ ହୋଇଯିବ ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ଅନ୍ୟ ରାଜ୍ୟରେ କ’ଣ ହୋଇଥିଲା କଂଗ୍ରେସ ସ୍ଥିତି?

କଂଗ୍ରେସ ନିର୍ବାଚନ ଗଣିତକୁ ଗୁରୁତ୍ଵ ନଦେଇ ଅନେକ ସମୟରେ ଭୁଲ ନିଷ୍ପତ୍ତି ନେଇ ଅନେକ ରାଜ୍ୟରେ ନିଜର ସ୍ଥିତି ବିଗାଡ଼ିଛି। ଲୋକପ୍ରିୟ ନେତାଙ୍କୁ ଆଗଧାଡ଼ିରୁ ହଟାଇ ରାଜ୍ୟସ୍ତରରେ ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇଥିବାର ଅନେକ ନଜିର ରହିଛି।

ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସମୟରେ ନିଆଯାଇଥିବା ଭୁଲ୍‌ ନିଷ୍ପତ୍ତି ପାଇଁ ଲୋକପ୍ରିୟ ଥିବା କଂଗ୍ରେସ ଅନେକ ରାଜ୍ୟରେ ଦୁର୍ବଳ ହୋଇଯାଇଥିଲା। ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀ ଏଚ୍ ନନ୍ଦନ ବହୁଗୁଣାଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ  ହଟାଇ ଦେଇଥିଲେ। ୧୯୮୮ ମସିହାରେ ରାଜୀବ ଗାନ୍ଧୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରୁ ହଟାଇ ଏନଡି ତିୱାରୀଙ୍କୁ ବସାଇଥିଲେ। ଏଥିପାଇଁ କଂଗ୍ରେସର ଗଡ଼ ଥିବା ଉତ୍ତରପ୍ରଦେଶରେ ଧୀରେ ଧୀରେ ଅଣକଂଗ୍ରେସ ଦଳଗୁଡ଼ିକ ଶକ୍ତିଶାଳୀ ହୋଇଥିଲେ।

୧୯୮୩ ମସିହାରେ ବିହାରର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ ଇନ୍ଦିରା ଗାନ୍ଧୀ। ଏହାର ଫଳ କଂଗ୍ରେସକୁ ଭୋଗିବାକୁ ପଡ଼ିଥିଲା। ସେମିତି ସୋନିଆ ଗାନ୍ଧୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଉଚିତ ପରାମର୍ଶ ନଦେଇ ତାଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ। ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏମିତି ନିଷ୍ପତ୍ତି କଂଗ୍ରେସକୁ ସାଂଘାତିକ ଭାବେ କ୍ଷତିଗ୍ରସ୍ତ କରିଥିଲା। ଏ ସବୁ ନିଷ୍ପତ୍ତି ପଛରେ କଂଗ୍ରେସରେ ଥିବା ଗୋଷ୍ଠୀ ବିବାଦ ଦାୟୀ ବୋଲି କୁହାଯାଉଛି। ଗୋଟିଏ ଗୋଷ୍ଠୀକୁ ଭରସା କରି କଂଗ୍ରେସର ଶୀର୍ଷ ନେତୃତ୍ଵ ଏମିତି ନିଷ୍ପତ୍ତି ନେଇଆସୁଛନ୍ତି।

କଂଗ୍ରେସ କରିବ କ’ଣ?

ମୁଖ୍ୟମନ୍ତ୍ରୀମାନଙ୍କୁ ହଟାଇ ଆଗରୁ ଭୋଗି ସାରିଛି କଂଗ୍ରେସ। ନିର୍ବାଚନକୁ ଆକୁ କିଛି ମାସ ବାକିଥିବାରୁ ଗେହଲଟଙ୍କୁ ହଟାଇ ସଚିନ ପାଇଲଟଙ୍କ ଉପରେ ଭରସା କରିବା କଂଗ୍ରେସ ପାଇଁ ଫାଇଦା ହେବ ନା କ୍ଷତି ଦ୍ଵନ୍ଦ୍ଵରେ ରହିଛି ଦଳ। ସଚିନ ପାଇଲଟଙ୍କ ଉପରେ ଭରସା ନକଲେ ରାଜ୍ୟ କଂଗ୍ରେସକୁ କେମିତି ଏକାଠି କରିବେ ଶୀର୍ଷ ନେତୃତ୍ଵ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଯଦି ବି ସଚିନ ପାଇଲଟଙ୍କୁ ନିର୍ବାଚନ ପରବର୍ତ୍ତୀ ପୁରସ୍କାର ପାଇଁ ପ୍ରତିଶ୍ରୁତି ଦିଆଯାଏ, ତେବେ ସେ ଏହକୁ ମାନିବେ କି? ଏମିତି ଅନେକ ପ୍ରଶ୍ନ ଉଠିଛି ରାଜସ୍ଥାନ କଂଗ୍ରେସକୁ ନେଇ।

ଆଗକୁ ଯଦି ରାଜସ୍ଥାନରେ କଂଗ୍ରେସ ଜିତିବ ତେବେ ସବୁ ଶ୍ରେୟ ଅଶୋକ ଗେହଲଟ ନେବେ। ତାଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ କଂଗ୍ରେସ ବହୁମତ ପାଇଲା ବୋଲି ସେ ଦାବି କରିବେ। ଯଦି କଂଗ୍ରେସ ହାରିଯାଏ, ତେବେ ସବୁ ଦୋଷ ଠେଲିବା ପାଇଁ ଗେହଲଟ ସଚିନଙ୍କୁ ହିଁ ବାଛିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସବୁ ଦିଗରୁ ସଚିନ ପାଇଲଟଙ୍କ ପାଇଁ ହିଁ ଅଡୁଆ ପରିସ୍ଥିତି ରହିଛି। ଚୁପ୍ ରହି ସୁଯୋଗକୁ ଅପେକ୍ଷା କରିବାର ସୁଯୋଗ ହରାଇ ସାରିଛନ୍ତି ସଚିନ। ରାହୁଲଙ୍କ ଘନିଷ୍ଠତା ମଧ୍ୟ ହରାଇସାରିଛନ୍ତି।

ଅନ୍ୟପକ୍ଷରେ ସଚିନ ଯଦି ଗେହଲଟଙ୍କ ନେତୃତ୍ଵକୁ ସ୍ଵୀକାର କରିନେବେ ତେବେ ତାଙ୍କୁ ୨୦୨୮ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ୨୦୨୮ରେ କଂଗ୍ରେସର ସ୍ଥିତି କ’ଣ ଥିବ ତାହା କାହାକୁ ଜଣାନାହିଁ। ୨୦୨୯ରେ କେନ୍ଦ୍ରରେ କଂଗ୍ରେସ ଆସିବ ବୋଲି ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ‘ଏବେ ନୁହେଁ ତ କେବେ ନୁହେଁ’ ନୀତିରେ ଚାଲିଛନ୍ତି ସଚିନ ପାଇଲଟ।

କଂଗ୍ରେସ ନେତୃତ୍ଵଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କାରଣ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ରାଜସ୍ଥାନକୁ ନେଇ ନିଷ୍ପତ୍ତି ନେବେ ଶୀର୍ଷ ନେତୃତ୍ଵ। ଗେହଲଟଙ୍କ ବିରୋଧରେ ଅନଶନ କରି ନିଜର ରାଜନୈତିକ ଉଚ୍ଚତା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ପାଇଲଟ।

କ’ଣ କରିବେ ସଚିନ?

ଦିନ ଥିଲା ରାହୁଲ ଗାନ୍ଧୀଙ୍କ ଯୁବ ଟିମରେ ସଚିନ ପାଇଲଟ ଆଗଧାଡ଼ିରେ ରହିଥିଲେ। ହେଲେ ଏବେ ସଚିନ ରାଜସ୍ଥାନରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛନ୍ତି। ସଚିନଙ୍କ ପାଇଁ ଆଉ ଏକ ସମସ୍ୟା ହେଲା ଯଦି ମୁଖ୍ୟମନ୍ତ୍ରୀ ପଦ ନମିଳେ ତେବେ ସେ କ’ଣ କରିବେ? ବିଜେପିକୁ ଗଲେ ତାଙ୍କର ଫାଇଦା କ’ଣ ହେବ? କେବଳ କଂଗ୍ରେସ ଓ ଗେହଲଟଙ୍କ ବିରୋଧରେ ପ୍ରତିଶୋଧ ନେବା ଛଡ଼ା ତାଙ୍କୁ ଆଉ କିଛି ଫାଇଦା ମିଳିବ ନାହିଁ ବୋଲି ରାଜନୀତି ସମୀକ୍ଷମାନେ ମଦ ଦଅନ୍ତି। ଗେହଲଟଙ୍କ ପାଖରେ ସଚିନଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି।

ଅଶୋକ ଗେହଲଟ ଗୋଟି ଚଳାଇବାରେ ମାହିର। ୨୦୧୮ ମସିହା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ପୂରା ଚେଷ୍ଟା କରିଥିଲେ ସଚିନ ପାଇଲଟ। ରାହୁଲଙ୍କ ସହ ଘନିଷ୍ଠତା ତାଙ୍କର ଏହି ସ୍ଵପ୍ନ ପୂରଣ କରିବାରେ ପୂରା ସାହାଯ୍ୟ କରିବ ବୋଲି ସେ ଭାବିଥିଲେ। କିନ୍ତୁ ସବୁ କିଛି ଓଲଟି ଗଲା। ଅଶୋକ ଗେହଲଟଙ୍କ ନାଁରେ ମୋହର ମାରିଥିଲା କଂଗ୍ରେସ।

କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢ଼ିବାକୁ ଗେହଲଟଙ୍କୁ ଯେତେବେଳେ କୁହାଯାଇଥିଲା, ସେତେବେଳେ ଏକ ସୁଯୋଗ ଆସୁଥିବା ଭାବିନେଇଥିଲେ ସଚିନ।

ସଚିନ ଭାବିଥିଲେ ଗେହଲଟ ଯଦି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚି। କିନ୍ତୁ ଏଥର ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ଆଗକୁ ସଚିନଙ୍କ ପାଇଁ କ’ଣ ଅପେକ୍ଷା କରିଛି ଜାଣିବା ପାଇଁ କେବଳ ସମୟକୁ ହିଁ ଅପେକ୍ଷା କରିବାକୁ ପଡ଼ିବ। କାରଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ତାଙ୍କ ପାଖରେ ଆଉ ସୁଯୋଗ ବି ନାହିଁ।

Tags: #Politics #IndianPolitics #RajasthanPolitics #SachinPilot #AshokGehlot #Congress

Comment