ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମବିଏ, ଏମସିଏ, ଏମଟେକ୍‌, ବି ଫର୍ମା, ଏମ ଫର୍ମା ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେଉଛି। ଚଳିତବର୍ଷ ପରୀକ୍ଷା ଦେବାପାଇଁ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି।

ଏ ବର୍ଷର ଓଜେଇଇ ପରୀକ୍ଷା ମେ’ ମାସ ୮ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ତାରିଖ ଯାଏଁ ଚାଲିବ। ଏହିପାଇଁ ଓଡ଼ିଶାର ସବୁ ଜିଲ୍ଲାରେ  ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମଥର ପାଇଁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ମଧ୍ୟ ୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି। ୩୩ଟି ସହରରେ ମୋଟ ୪୭ ପରୀକ୍ଷା କେନ୍ଦ୍ରରେ ଏହି ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେଉଛି।

ପ୍ରତିଦିନ ୩ଟି ସିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ଵିତୀୟ ସିଫ୍ଟ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨ଟା ୩୦ ଯାଏଁ ଚାଲିବ। ଏହାପରେ ତୃତୀୟ ସିଫ୍ଟ ଅପରାହ୍ଣ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଚାଲିବ।

ଓଜେଇଇ ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ପରିଚାଳିତ ହେବ। ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଓଜେଇଇ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

Tags: #OJEE #EntranceExam #Students #Education #Odisha

Comment