ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗୀର ଜିଲ୍ଲା ଗଇଁତାଳ ଛକ ନିକଟରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଘରୋଇ ବସ ଧକ୍କାରେ ବାପାଙ୍କ ସମେତ ତିନି ଜଣ ଝିଅଙ୍କର ମୃତ୍ୟୁ ହୋଇଛି।

ମଙ୍ଗଳବାର ସକାଳେ ପୁଇଁତଳା ବ୍ଲକ ବ୍ରାହ୍ମଣୀପାଲିର ବିଣାପାଣୀ ପାଣ୍ଡେ ନିଜ ଦୁଇ ଝିଅ ରେଖା ପାଣ୍ଡେ ଓ ଶିଖା ପାଣ୍ଡେଙ୍କ ସହ ବାଇକରେ ଆଧାର କାର୍ଡ଼ ଅପଡେଟ କରିବାକୁ ଯାଉଥିଲେ। ଏହି ସମୟରେ ଗଣପତି ନାମକ ଏକ ଘରୋଇ ବସ ଦ୍ରୁତ ଗତିରେ ଆସି ବାଇକଟିକୁ ପଛରୁ ଧକ୍କା ଦେଇଥିଲା। ଏହା ଫଳରେ ବିଣାପାଣୀଙ୍କ ୧୪ ବର୍ଷୀୟ ସାନ ଝିଅ ରେଖା ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା। ବାଇକକୁ ଧକ୍କା ମାରିବା ପରେ ବସଟି ରେଖାଙ୍କ ମୃତ ଶରୀରକୁ ଗଇଁତାଳ ତହସିଲ ଛକ ନିକଟରୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବଡ଼ ଝିଅ ଶିଖା ଏବଂ ବିଣାପାଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଶିଖାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସମ୍ଵଲପୁର ସ୍ଥିତ ବୁର୍ଲା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ବାପା ଓ ଝିଅଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥକୁ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ୧କୋଟି ଟଙ୍କା ସହାୟତା ରାଶି ଦେବାକୁ ଦାବି କରିଛନ୍ତି।

Tags: #RoadAccident #Balangir #Odisha #Death

 

Comment