ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ବିଶେଷ କରି ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବୁଧବାର ମଧ୍ୟ ହିଟ ୱେଭକୁ ନେଇ ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।  ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ା ସାମିଲ ରହିଛି।      ଓଡ଼ିଶାକୁ ଏବେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ତାତି ବଢ଼ିବାରେ ଲାଗିଛି। ଏହାବ୍ୟତୀତ ଜଳୀୟବାଷ୍ପର ଅଭାବରେ ଟାଣ ଖରା ହେଉଛି।

ସେହିପରି ମଙ୍ଗଳବାର ଦିନ ଓଡ଼ିଶାର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୪.୩ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ଏହାବ୍ୟତୀତ ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ସହରର ତାପମାତ୍ରା ମଧ୍ୟ ୪୪ ଡିଗ୍ରୀ ଛୁଇଁଥିଲା।

ଅନ୍ୟପଟେ ମଙ୍ଗଳବାର ଅପରାହ୍ଣରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଏହାଫଳରେ ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳକ୍, ଭଦ୍ରକ ଓ ବାଲେଶ୍ଵର ଆଦି ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଥିଲା। ବର୍ଷା ପ୍ରଭାବରେ ଲୋକମାନଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ରକ୍ଷା ମିଳିଥିଲା।

Tags: #WeatherUpdates #HeatWave #TemperatureRise #kalaBaisakhi #Odisha

 

Comment