ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସକାଳ ୧୦ରୁ ଘରୁ ବାହାରିବା ଅସମ୍ଭାଳ ହେଉଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଖରାର ଅଧିକ ପ୍ରଭାବ ପଡ଼ୁଛି। ତେବେ ରାଜ୍ୟରେ ଆହୁରି ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମେ’ ମାସ ୨୩ ତାରିଖ ଯାଏଁ ରାଜ୍ୟରେ ଅନେକ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଆଦି ସହରରେ ତାପମାତ୍ରା ଅଧିକ ରହିବ। ଏହାସହ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ହେବ।
ସେହିପରି ଓଡ଼ିଶାର କେତେକ ସ୍ଥାନରେ ସନ୍ଧ୍ୟାବେଳେ କାଳବୈଶାଖୀ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହି ବର୍ଷା ସତ୍ତ୍ୱେ ଗରମରୁ ବିଶେଷ ରକ୍ଷା ମିଳିବ ନାହିଁ।
ତାତି ବଢୁଥିବାରୁ ସକାଳ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଗୁରୁବାର ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝରସୁଗୁଡ଼ାରେ ୪୦.୨ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ, ଭୁବନେଶ୍ଵରରେ ୩୬.୪ ଡିଗ୍ରୀ ଓ ବାଲେଶ୍ଵରରେ ୩୬ ଡିଗ୍ରୀ ତାପମତ୍ରା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଏଠାରେ ତାପମାତ୍ରା କମ ରହିଛି।
ବୁଧବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୪.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲେ। ସେହିପରି ଭୁବନେଶ୍ଵର ଓ କଟକରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରଯାଇଥିଲା।
Tags: #WeatherUpdates #HeatWave #TemperatureRise #kalaBaisakhi #Odisha