ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାରେ ଦୁଇଟି ନୂଆ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ରର ଅନୁମୋଦନ
  • ବରଗଡ଼ ରୋଡ-ନୂଆପଡ଼ା ମଧ୍ୟରେ ନିର୍ମାଣ ହେବ ୧୪୨ କିଲୋମିଟର ରେଳପଥ
  • ତାଳଚେର-ଅନୁଗୁଳ ମଧ୍ୟରେ ହେବ ୧୬.୫ କିଲୋମିଟରର ନୂଆ ବ୍ରଡଗେଜ୍ ଲାଇନ

ଓଡ଼ିଶାରେ ଦୁଇଟି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ପ୍ରଥମ ଲାଇନଟି ବରଗଡ଼ ରୋଡ ଓ ନୂଆପଡ଼ା ମଧ୍ୟରେ ୧୪୨ କିଲୋମିଟରର ହେବ। ଦ୍ଵିତୀୟରେ ତାଳଚେର ଓ ଅନୁଗୁଳ ମଧ୍ୟରେ ୧୬.୫ କିଲୋମିଟରର ନୂଆ ବ୍ରଡଗେଜ୍ ଲାଇନ ପାଇଁ ରେଳ ମନ୍ତ୍ରାଳୟ ଅନୁମତି ଦେଇଛି। ଏନେଇ ଶନିବାର ରେଳ ମନ୍ତ୍ରାଳୟ ପକ୍ଷରୁ ଗ୍ୟାଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି।

ତାଳଚେର-ଅନୁଗୁଳ ମଧ୍ୟରେ ହେବାକୁଥିବା ନୂଆ ବ୍ରଡଗେଜ୍ ଲାଇନରେ ତାଳଚେରଠାରେ ଏକ ‘ୱାଇ’ ଇଣ୍ଟରଚେଞ୍ଜ ନିର୍ମାଣ ହେବ। ଏହାଦ୍ଵାରା ରେଳ ଚଳାଚଳ ଆହୁରି ସୁଗମ ହେବାସହ ଖଣିଜ ପଦାର୍ଥର ପରିବହନରେ ସୁବିଧା ହେବ।

ଅନ୍ୟପଟେ ବରଗଡ଼ ରୋଡ ଓ ନୂଆପଡ଼ା ମଧ୍ୟରେ ହେବାକୁ ଥିବା ରେଳ ଲାଇନଟିକୁ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ଘୋଷଣା କରାଯାଇଛି। ଏହି ଲାଇନଟି ପଦ୍ମପୁର ଦେଇ ଯିବ। ଏହା ମଧ୍ୟରେ ୧୪ଟି ରେଳ ଷ୍ଟେସନ ନିର୍ମାଣ କରାଯିବ। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ଏହି ଲାଇନଟି ରହିବ।

 

ପଦ୍ମପୁର ଉପନିର୍ବାଚନ ସମୟରେ ବରଗଡ଼-ନୂଆପଡ଼ା ରେଳ ଲାଇନ ପ୍ରସଙ୍ଗ ଜୋର ଧରିଥିଲା। ସତେବେଳେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ଼-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏହା ଉତ୍ତରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ଲାଇନର ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ନେଇ ଅନୁମୋଦନ ହୋଇଥିବା କହିଥିଲେ।

Tags: #RailwayProject #NewRailwayLines #IndianRailways #EastcoastRailway #Odisha

 

Comment