ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୧୯ରୁ ୨୦୨୧ ମଧ୍ୟରେ ୮୯୩ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟଗୁଡ଼ିକର ସମୀକ୍ଷାବେଳେ ଏହି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ବିଭାଗର ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ।

ଏହି ସମୀକ୍ଷାବେଳେ ବିଭାଗର ପକ୍ଷରୁ ଗତ ୪ ବର୍ଷରେ ହୋଇଥିବା କାର୍ଯ୍ୟଗୁଡ଼ିକ କେତେ ଦୂର ସଫଳ ହୋଇଛି ତାହା ଦର୍ଶା ଯାଇଥିଲା। ଏଠାରେ ୨୦୧୯ ନିର୍ବାଚନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଭାଗ ପୂରଣ କରିଛି କି ନାହିଁ ତାହାର ସମୀକ୍ଷା ହୋଇଥିଲା।

ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୧୯ରୁ ୨୦୨୧ ମଧ୍ୟରେ ୮୯୩ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ରାଜ୍ୟରେ ଜଙ୍ଗଲ ଓ ବୃକ୍ଷର ଆବରଣର ପରିମାଣ ବଢ଼ି ୩୬.୭୧ ପ୍ରତିଶତରେ ପହଞ୍ଚିଛି। ଏହି ସମୟରେ ଓଡ଼ିଶାରେ ହେନ୍ତାଳ ଜଙ୍ଗଲ ମଧ୍ୟ ୮ ବର୍ଗ କିଲୋମିଟର ବଢ଼ିଛି।

ଗତ ୪ ବର୍ଷରେ ଓଡ଼ିଶାର ମୋଟ ୩ ଲକ୍ଷ ୭୧ ହଜାର ୧୬୩ ହେକ୍ଟର ଜମିରେ ବନୀକରଣ କରାଯାଇଛି। ଏଥିରୁ ୧୬ ହଜାର ୩୪୬ କିଲୋମିଟର ରାସ୍ତା କଡ଼ ଜମିରେ ଗଛ ଲଗାଯାଇଛି।

ସେହିପରି ରାଜ୍ୟରେ ବ୍ୟାଘ୍ର ପ୍ରକଳ୍ପ ଓ ଅନ୍ୟାନ୍ୟ ଅଭୟାରଣ୍ୟଗୁଡ଼ିକର ଉନ୍ନତି ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଅନୁଦାନ ଦିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବୀକରଣ କରାଯାଇଛି। ରାଜ୍ୟରେ ୪୯ଟି ଗୋଷ୍ଠୀ ପ୍ରଚଳିତ ଇକୋ ଟୁରିଜିମ ସାଇଟ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବା ସହ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି।

ଅନ୍ୟପଟେ ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶିର ପରିମାଣ ବିଭାଗ ପକ୍ଷରୁ ବଢ଼ାଯାଇଛି। ଏଥିରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ ୬ ଲକ୍ଷ ଟଙ୍କା ମିଳୁଛି। ସେହିପରି ବନ୍ୟପ୍ରାଣୀ ଫସଲ ନଷ୍ଟ କଲେ ଏକର ପିଛା ୨୦ରୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଛି।

ସେହିପରି ରାଜ୍ୟରେ ବନ ସୁରକ୍ଷା ସମିତି ଉନ୍ନତି ପାଇଁ ବିଭାଗ ପକ୍ଷରୁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିଭଳି ବନାଞ୍ଚଳ ଉନ୍ନୟନ ସମିତିଗୁଡ଼ିକର ବିକାଶ ପାଇଁ ମଧ୍ୟ ବିଭାଗ ପକ୍ଷରୁ ଅନୁଦାନ ଦିଆଯାଉଛି।

ଓଡ଼ିଶାରେ ଏବେ ବିଭିନ୍ନ ବିଭାଗର ୪ ବର୍ଷରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରାଯାଉଛି। ମଙ୍ଗଳବାର ଜଙ୍ଗଲ ବିଭାଗର କାର୍ଯ୍ୟଗୁଡ଼ିକର ସମୀକ୍ଷା ସହ ରାଜ୍ୟ ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟ ଓ ଯୋଜନାଗୁଡ଼ିକର ମଧ୍ୟ ସମୀକ୍ଷା କରଯାଇଥିଲା।

Tags: #Forest,Environment&ClimateChangeDept #WorkReview #Forest #Odisha

Comment