ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କାଳବୈଶାଖୀ ବର୍ଷା ଯୋଗୁଁ ଗରମରୁ ରକ୍ଷା ମିଳିଛି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସହ କେତେକ ସ୍ଥାନରେ ଝଡ଼ ହୋଇଥିବା ଦେଖାଯାଇଛି। ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆହୁରି ଚାରି ଦିନ ଯାଏଁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଦିନ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷାକୁ ନେଇ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ନୟାଗଡ଼, ଯାଜପୁର ଜଗତସିଂହପୁର ଆଦି ଜିଲ୍ଲା ସାମିଲ ଅଛନ୍ତି।

ଅନ୍ୟପଟେ ଶୁକ୍ରବାର ରାତିରେ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଜଗତସିଂପୁର ଓ କେନ୍ଦ୍ରାପଡ଼ାରେ ବର୍ଷାର ପରିମାଣ ଅଧିକ ରହିଥିଲା।

ସେହିଭଳି ଜୁନ ୪ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କେରଳ ଛୁଇଁବାର ପ୍ରାୟ ଗୋଟେ ସପ୍ତାହ ପରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବ। ଚଳିତବର୍ଷ ମୌସୁମୀରେ ବର୍ଷାର ପରିମାଣ ସ୍ଵାଭାବିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Rainfall #KalaBaisakhi #CoastalDistricts #Odisha #MetrologicalCentre #IMD

Comment