ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

“ଏବେ ନୀରବତା ଭାଙ୍ଗିବାର ସମୟ ଆସିଛି। ଲାଜ ନୁହେଁ, ଋତୁସ୍ରାବ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଏ ବିଷୟରେ ଖୋଲାଖୋଲି ଭାବେ କଥା ହେଲେ କିଶୋରୀ ଏବଂ ମହିଳାମାନେ ଋତୁସ୍ରାବ ସମୟରେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ”, କହିଛନ୍ତି ବିଶିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶାବରୀ ଭଟ୍ଟାଚାର୍ଯ୍ୟ।

ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ଅବସରରେ ରବିବାର ଦିନ ଓଡ଼ିଶା ମେନଷ୍ଟ୍ରୁଆଲ ହେଲଥ ହାଇଜିନ୍ ଆଲାଏନ୍ସ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଵେଚ୍ଛାସେବୀ ବ୍ୟକ୍ତି ଏବଂ ସଂଗଠନ ସମୁହ ତରଫରୁ ପିରିୟଡସ୍ ବ୍ରେସଲେଟ ପିନ୍ଧାଯାଇ ଏହି କର୍ମଶାଳାକୁ ଉଦଘାଟନ କରାଯାଇଥିଲା। ଓଡ଼ିଶାର ଏକ ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ପାର୍ଟନର ରହିଛି।

ଋତୁସ୍ରାବ ସମୟରେ ସ୍ଵଚ୍ଛତା ରକ୍ଷା କରିବା, ଏହାକୁ ନେଇ ରହିଥିବା ଅନ୍ଧବିଶ୍ଵାସକୁ ଦୂର କରିବା ସହ ଋତୁସ୍ରାବ ସମ୍ପର୍କୀତ ବାର୍ତ୍ତା ବାଣ୍ଟିବାର ଆବଶ୍ୟକତା ରହିଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ କହିଥିଲେ।

“କେବଳ ପ୍ରଥମ ଋତୁସ୍ରାବ ନୁହେଁ, ମେନୋପଜ ବା ଋତୁସ୍ରାବ ବନ୍ଦ ହେବା ବିଷୟରେ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ରହିଛି। ୧୨/୧୪ ବର୍ଷରୁ ୪୦/୪୫ ବର୍ଷ ପର୍ଯ୍ୟନ୍ତ ଝିଅମାନେ ଋତୁସ୍ରାବ ଦେଇ ଗତି କରନ୍ତି। ମହିଳାମାନଙ୍କର ଏହି ଲମ୍ବା ଯାତ୍ରା ବିଷୟରେ ଖୋଲାଖୋଲି କଥା ହେବା ଜରୁରୀ। ଏହି ସମୟରେ ସେମାନଙ୍କର ମନର ଅବସ୍ଥା ବୁଝିବାର ଆବଶ୍ୟକତା ରହିଛି”, କହନ୍ତି ଡାକ୍ତର ଶାବରୀ ଭଟ୍ଟଚାର୍ଯ୍ୟ।

ଏହି ଅବସରରେ ଆଇନା ଓ ସହଭାଗୀ ଅନୁଷ୍ଠାନ ପକ୍ଷରୁ ପରିକଳ୍ପିତ ଋତୁସ୍ରାବକୁ ନେଇ ଏକ ମ୍ୟୁଜିକ୍ ଭିଡିଓ ‘କାଚକଣ୍ଢେଇ’ ପ୍ରଦର୍ଶିତ ହୋଇଥିଲା। ଆଇନାର ସମ୍ପାଦିକା ସ୍ନେହ ମିଶ୍ର ସ୍ଵାଗତ ଭାଷଣ ଦେବା ସହ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ମେ’ ୨୮ ତାରିଖକୁ କାହିଁକି ପାଳନ କରାଯାଏ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଋତୁସ୍ରାବ ଏକ ବାସ୍ତବତା, ଏ ସମ୍ପର୍କରେ ଖୋଲାଖୋଲି କଥା ହେବା ସହ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସ୍ନେହ ମିଶ୍ର କହିଥିଲେ।

ନାଓର ବରିଷ୍ଠ ସଦସ୍ୟା ବିଶାଖା ଭଞ୍ଜଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓ୍ଵାଟର ଏଡ୍‌ର ଟେକ୍ନିକାଲ ସ୍ପେସାଲିଷ୍ଟ ବିକାଶ ପତି ଯୋଗ ଦେଇ ଉପଯୁକ୍ତ ଶୌଚାଳୟର ଅଭାବ ଯୋଗୁଁ ଝିଅମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କହିଥିଲେ। ଏହି କାରଣ ଯୋଗୁଁ ଅନେକ ସମୟରେ ଝିଅମାନେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବାବେଳେ କର୍ମଜୀବୀ ମହିଳାମାନେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ଯିବା ଲାଗି କୁଣ୍ଠା ବୋଧ କରିଥାନ୍ତି ବୋଲି କହିଥିଲେ। ଘରେ ହେଉକି କାର୍ଯ୍ୟାଳୟ, ସବୁଠି ଋତୁସ୍ରାବ ଅନୁକୂଳ ଶୌଚାଳୟର ଆବଶ୍ୟକତା ରହିଥିବା ବିକାଶ ପତି କହିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଗଣ ଋତୁସ୍ରାବ ଅନୁକୂଳ ଶୌଚାଳୟ ସମ୍ବନ୍ଧୀୟ ଅଭିଯାନର ଏକ ପୋଷ୍ଟର ଉଦଘାଟନ କରିଥିଲେ।

“ଝିଅମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅବହେଳିତ ହୋଇ ଆସୁଥିଲେ। କିନ୍ତୁ ଏହି ଧାରାରେ ଏବେ ଧୀରେ ଧୀରେ ପରିବର୍ତ୍ତନ ଆସିଛି। ସଚେତନତା ଏବଂ ସୁବିଧା ଅଭାବରୁ ଝିଅମାନଙ୍କୁ ଅନେକ ସମୟରେ ଅସୁବିଧା ଭୋଗିବାକୁ ପଡ଼ିଥାଏ। ସ୍କୁଲ, କଲେଜ ଏବଂ କର୍ମକ୍ଷେତ୍ରରେ ପିରିୟଡସ୍ ଫ୍ରେଣ୍ଡଲି ପରିବେଷ ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଲାଜ ନକରି ପିରିୟଡସ୍ ବିଷୟରେ ଖୋଲାଖୋଲି କରିବା ଜରୁରୀ। ଏହାକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ”, କହିଛନ୍ତି ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସେବା ମହାପାତ୍ର।

ଋତୁସ୍ରାବ ସମୟରେ ସଫାସୁତରା ରହିବା ଆବଶ୍ୟକ। ଯେଉଁମାନେ ପ୍ୟାଡ କଣିପାରୁ ନାହାନ୍ତି ସେମାନେ ପରିଷ୍କାର ସୁତା କପଡ଼ାକୁ ମଧ୍ୟ ଋତୁସ୍ରାବ ସମୟରେ ବ୍ୟବହାର କରିପାରିବେ। କପଡ଼ା ବ୍ୟବହାର କରୁଥିଲେ ସେଗୁଡ଼ିକୁ ଭଲ ଭାବେ ସଫା କରି ଖରାରେ ସୁଖାଇବା ଆବଶ୍ୟକ। ଏହା ପରେ ସେହି କପଡ଼ାକୁ କୌଣସି ଜରି ଭିତରେ ବାନ୍ଧିକି ଭଲ ଭାବେ ରଖିବା ଦରକାର, ଯାହାକୁ ପରବର୍ତ୍ତୀ ଋତୁସ୍ରାବ ସମୟରେ ବ୍ୟବହାର କରାଯାଇପାରିବ ବୋଲି କୁହନ୍ତି ଡାକ୍ତର ସେବା ମହାପାତ୍ର।

“ଋତୁସ୍ରାବକୁ ନେଇ ଏବେ ବି ଅନ୍ଧବିଶ୍ଵାସ ବା କୁସଂସ୍କାର ରହିଆସିଛି। ପୁରୁଣା ପ୍ରଥା ଏବେ ବି ଚାଲିଛି। ଋତୁସ୍ରାବକୁ ନେଇ ୧୫ରୁ ୫୦ ବର୍ଷର ଲମ୍ବା ଯାତ୍ରା ବିଷୟରେ ଖୋଲାଖୋଲି ଭାବେ କଥା ନହେବା ଦୁର୍ଭାଗ୍ୟର ବିଷୟ। ଋତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଗଣମାଧ୍ୟମର ବଡ଼ ଦାୟିତ୍ଵ ରହିଛି”, କୁହନ୍ତି ନୟତ୍ର ନ୍ୟୁଜର ସାମ୍ବାଦିକା ସୁପ୍ରିୟା ଦାସ।

ଋତୁସ୍ରାବ ବିଷୟରେ କଥା ହେବାକୁ ଏବେ ବି ଆମକୁ ସଙ୍କୋଚ ଲାଗେ। ଏବେ ସମୟ ଆସିଛି ନୀରବତାକୁ ଭାଙ୍ଗିବା ଏ ବିଷୟରେ କଥା ହେବା। ପ୍ରଥମ ପଦକ୍ଷେପ ସ୍ଵରୂପ ନିଜ ପରିବାରରୁ ହିଁ ଏ ବିଷୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିୟା କୁହନ୍ତି।

ଋତୁସ୍ରାବ ଏବଂ ଋତୁ ବିରତି ପରେ ମହିଳାମାନେ ନିଜର ଯତ୍ନ ନେବା ଆବଶ୍ୟକ। ବର୍ତ୍ତମାନ ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଯାଇଛି। ମେନୋପଜ ବା ଋତୁ ବିରତି ବିଷୟରେ କେହି ଆଲୋଚନା ମଧ୍ୟ କରୁନାହାନ୍ତି। ମେନୋପଜ ସମୟରେ ଏବଂ ଏହାର କିଛି ମାସ ପୂର୍ବରୁ ମହିଳାମାନ ମାନସିକ ସ୍ଵାସ୍ଥ୍ୟର ସନ୍ତୁଳନ ରକ୍ଷା କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ମାନସିକ ରୋଗ ପରାମର୍ଶଦାତା ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର।

ଋତୁସ୍ରାବ ସମ୍ପର୍କରେ ପୁରୁଷମାନଙ୍କ ଭୂମିକାକୁ ନେଇ ଆଲାଏନ୍ସ ପକ୍ଷରୁ କରାଯାଇଥିବା ଏକ ଷ୍ଟଡି ରିପୋର୍ଟକୁ ଏହି ଅବସରରେ ଉପସ୍ଥାପନା କରାଯାଇଥିଲା। ଆଲାଏନ୍ସ ସଦସ୍ୟା ଜ୍ୟୋତ୍ସ୍ନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅପରାହ୍ଣ ଅଧିବେଶନରେ ଆଇନା ପକ୍ଷରୁ ଋତୁସ୍ରାବ ଓ ପରିଚ୍ଛନତାକୁ ନେଇ ଖେଳ ମାଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ୬୦ରୁ ଊର୍ଦ୍ଧ୍ଵ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll

Comment