ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଦିନରେ ପ୍ରବଳ ଖରା ହେଉଛି। ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଧିକ ଗରମ ପଡ଼ୁଛି। ମଙ୍ଗଳବାର ୪୩ ଡିଗ୍ରୀ ତାପମାତ୍ରା ସହ ସମ୍ବଲପୁର ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ଏବେ କାଳବୈଶାଖୀର ପ୍ରଭାବରେ ବାୟୁରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ବଢ଼ୁଛି। ମଙ୍ଗଳବାର ଓଡ଼ିଶାର ଅନ୍ୟ ସହରଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ, ଭୁବନେଶ୍ଵରରେ ୩୭.୮ ଡିଗ୍ରୀ, ଚାନ୍ଦବାଲିରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ମଙ୍ଗଳବାର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା କମ ରହିଥିଲେ ମଧ୍ୟ ଅଧିକ ଗୁଳୁଗୁଳି ହୋଇଥିଲା। ରାଜଧାନୀ ଭୁବନେଶ୍ଵରର ଅଦ୍ରତା ପ୍ରାୟ ୬୦ ପ୍ରତିଶତ ରହିଥିବାରୁ ଏଠାରେ ଖରା ସାଙ୍ଗକୁ ଗୁଳୁଗୁଳିର ପ୍ରଭାବ ଅଧିକ ରହିଥିଲା।

ଅନ୍ୟପଟେ ଏବେ ରାତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳର କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି। ଏହି ସମୟରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଜୋରରେ ପବନ ବହୁଛି। ଅଳ୍ପ ସମୟଧରି ଏହି ବର୍ଷା ହେଉଥିଲେ ମଧ୍ୟ ଏହାର ମାତ୍ରା ଅଧିକ ରହୁଛି। ମଙ୍ଗଳବାର ରାତିରେ ମଧ୍ୟ କାଳବୈଶାଖୀ ବର୍ଷାକୁ ନେଇ ଓଡ଼ିଶାର ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Tags: #HotWeather #Temperaturerise #Summer #Humidity #Odisha

Comment