ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ରେଳ ଦୁର୍ଘଟଣା। ୩ଟି ଟ୍ରେନକୁ ନେଇ ହୋଇଥିବା ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେବି ଅନେକ ଲୋକ ଟ୍ରେନ ବଗିରେ ଫଶି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଏବେ ସମୟ ଯେତେ ବଢୁଛି ମୃତ୍ୟୁ ସଂଖ୍ୟା ସେତେ ବଢୁଛି। ବିଭିନ୍ନ ମେଡିକାଲରେ ଶବଗୁଡ଼ିକୁ ରଖାଯାଇଛି। ଆହତମାନଙ୍କୁ କେମିତି ଚିକିତ୍ସା କରାଯିବ, ତାହାକୁ ପ୍ରାଧାନ୍ୟ ଦିଆଯାଉଛି। ବହୁ ଗୁରୁତରଙ୍କୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯାଉଛି। ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଲେଶ୍ଵର ଡାକ୍ତରଖାନାରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି।

କେମିତି ହୋଇଥିଲା ଏହି ଟ୍ରେନ ଟ୍ରାଜେଡି

ଶୁକ୍ରବାର ସାନ୍ଧ୍ୟା ୭ଟା ବେଳେ ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ହାୱଡ଼ାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଟ୍ରେନଟି ୧୩୦ କିଲୋମିଟରରୁ ଅଧିକ ବେଗରେ ଗତି କରୁଥିବାରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରୁ କିଛି ବଗି ପାଖ ରେଳ ଲାଇନରେ ପଡ଼ିଯାଇଥିଲା।

ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର କରମଣ୍ଡଳ ଏକ୍ସପ୍ରେସର ବଗି ସହ ଧକ୍କା ହୋଇଥିଲା। ଏହା ଫଳରେ ଏହି ଟ୍ରେନଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ସମ୍ପୃକ୍ତ ଅଞ୍ଚଳରେ ଏକ ଜୋରଦାର ଶବ୍ଦ ହୋଇଥିଲା। ଏହି ଟ୍ରେନରେ ଯାତ୍ରା କରୁଥିବା ଅନେକ ଲୋକ ବଗି ତଳେ ଚାପି ହୋଇଯାଇଥିଲେ।

ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ପାଖରେ ଥିବା ଜେନେରାଲ ବଗିଗୁଡ଼ିକର ସବୁଠୁ ଅଧିକ କ୍ଷତି ହୋଇଛି। ଇଞ୍ଜିନ ପାଖ ବଗିର କିଛି ଅଂଶ ମାଟିରେ ଧସି ଯାଇଥିଲା। ଅନ୍ୟପଟେ ଇଞ୍ଜିନଟି ମାଲଗାଡ଼ି ଉପରେ ଚଢ଼ି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଦୁର୍ଘଟଣା ପରେ ଆଖପାଖ ଅଞ୍ଚଳରେ ଅନେକ ଲୋକ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଦମକଳ କର୍ମୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନିତ କରିଥିଲେ। ଆହତହୋଇଥିବା ଲୋକଙ୍କୁ ବହନଗା ହସ୍ପିଟାଲ, ବାଲେଶ୍ଵର ସ୍ଥିତ ମେଡିକାଲ କଲେଜକୁ ନିଆଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ୫୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ କରଯାଇଛି।

ଏବେ ମୃତ୍ୟୁବରଣ କରିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ମୃତ ଦେହଗୁଡିକୁ ସେମାନଙ୍କ ପରିବର ବର୍ଗଙ୍କୁ ହସ୍ତାନ୍ତର କରାଯାଉଛି। ଅନ୍ୟପଟେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ଏବେ ଭାରତୀୟ ସେନା ମଧ୍ୟ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି।

ଏହି ଦୁର୍ଘଟଣାର ପରେ ଏବେ ସମ୍ପୃକ୍ତ ରେଳ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ହୋଇଛି। ଏହାଛଡ଼ା ଅନ୍ୟ କେତେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ କେନ୍ଦ୍ର ରେଳ ମନ୍ତ୍ରୀ ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା କେମିତି ହେଲା, କ’ଣ ପାଇଁ ହେଲା ସେ ନେଇ ଯାଞ୍ଚ କରାଯିବ।

Tags: #TrainTragedy #BahanagaTrain accident #CoromandelExpress #Odisha

Comment