ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ୨ କଳା ରେଜଲ୍ଟ। ଗୁରୁବାର ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣଶିକ୍ଷା ସଚିବ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ଯୁକ୍ତ ୨ କଳାରେ ମୋଟ ପାସହାର ରହିଛି ୭୮.୮୮ ପ୍ରତିଶତ। www.chseresults.nic.in ଓ୍ଵେବସାଟରେ ପରୀକ୍ଷା ଫଳାଫଳ ଜାଣିହେବ।

ଯୁକ୍ତ ୨ କଳା ଛାତ୍ରୀଙ୍କ ପାସହାର ୮୫.୬୬ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସହାର ୭୦.୪୩ ପ୍ରତିଶତ ରହିଛି। ଚଳିତ ବର୍ଷ ମୋଟ ୧ ଲକ୍ଷ ୮୧ ହଜାର ୮୫୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଯୁକ୍ତ ୨ କଳା ସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ମଧ୍ୟ ଫଳାଫଳ ପ୍ରକାଶ ପାଇଛି। ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ପାସ କରିଛନ୍ତ ମୋଟ ୩,୮୬୦ ଜଣ ଛାତ୍ରଛାତ୍ରୀ। ମୋଟ ପାସହାର ରହିଛି ୬୭.୪୮ ପ୍ରତିଶତ। ଛାତ୍ରୀଙ୍କ ପାସହର ୭୧.୧୦ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସହାର ୬୪.୨୩ ପ୍ରତିଶତ ରହିଛି।

ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜ୍ୟରେ ଗତ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ହୋଇଥିଲା। ମୋଟ ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରେ ଯୁକ୍ତ ୨ କଳାର ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନର ୧୯,୩୭୯, ବାଣିଜ୍ୟର ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାର ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଏହା ପୂର୍ବରୁ ଗତ ମେ’ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ୨ ବିଜ୍ଞାନରେ ପାସହାର ୮୪.୯୩ ପ୍ରତିଶତ ହୋଇଥିବାବେଳେ ବାଣିଜ୍ୟରେ ପାସହାର ରହିଥିଲା ୮୧.୧୨ ପ୍ରତିଶତ। ଉଭୟ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରିଥିଲେ।

Tags: #Plus2ArtsResult #Education #Examination #Plus2ArtsExam2023

Comment