ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ ପଡ଼ିବାପରେ, ଏବେ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ବଦଳି ହୋଇଛି। ତାଙ୍କୁ ଏବେ ରାଜ୍ୟ ସଧାରଣ ପ୍ରଶାସନ ବିଭାଗର ଓଏସଡି ନିଯୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ବ୍ୟତୀତ ରାଜ୍ୟର ଅନ୍ୟ କିଛି ବିଭାଗରେ ମଧ୍ୟ ଆଇଏଏସ ସ୍ତରରେ ଛୋଟ ଅଦଳବଦଳ ହୋଇଛି। ଏନେଇ ଶୁକ୍ରବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ୨୦୦୭ ବ୍ୟାଚର ଆଇଏଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଉଚ୍ଚଶିକ୍ଷା ବିଭାଗର ନୂଆ କମିଶନର ତଥା ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହା ପୂର୍ବରୁ କାର୍ଯ୍ୟ କରୁଥିବା ରାଜ୍ୟ ସାମାଜିକ ମଙ୍ଗଳ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ବହନ କରିବେ।

ସେହିପରି ଅର୍ଥ ବିଭାଗର ପ୍ରମୁଖ ସଚିବ ଥିବା ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀ ବିଶାଲ କୁମାର ଦେବଙ୍କୁ ଏବେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର (ଓଏଚପିସି) ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ଓଏଚପିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵରେ ଥିବା ବିଷ୍ଣୁପଦ ସେଠୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିବେ।

ଏବେ କିଛି ଦିନ ତଳେ ଓଡ଼ିଶାର ବିଭିନ୍ନ ବିଭାଗର ସମୀକ୍ଷା କରାଯାଇଛି। ଏଥିରେ ଉଚ୍ଚ ଶିକ୍ଷା ବିଭାଗର ପ୍ରଦର୍ଶନ ଭଲ ହୋଇନଥିବାରୁ ବିଭଗୀୟ ସଚିବଙ୍କ ବଦଳି ହୋଇଛି। ବିଭାଗର ଖରାପ ପ୍ରଦର୍ଶନ ପାଇଁ ରୋହିତ ପୂଜାରୀଙ୍କ ମନ୍ତ୍ରୀ ପଦ ଯାଇଥିବା ଏବେ ସାଧରଣରେ ଚର୍ଚ୍ଚା ହେଉଛି।

Tags: #HigherEducationDept #Secretary #IASOfficers #Odisha

 

Comment