ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡି ଉଜାଡ଼ି ଦେଲା ଅନେକ ହସଖୁସିର ସଂସାର। ଏହି ମର୍ମନ୍ତୁଦ ଦୁର୍ଘଟଣା ଲୋକଙ୍କୁ ଶରୀରିକ ଭାବେ ଯେତିକି କ୍ଷତି ଘଟାଇଛି ତା’ଠାରୁ ଅଧିକ ମାନସିକ ଭାବେ ପ୍ରଭାବିତ କରିଛି। ଏଭଳି ବିପଦ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶାର ସିଭିଲ ସୋସାଇଟି।

ଏହି ମହା ବିପତ୍ତି ସମୟରେ ଓଡ଼ିଶା ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକାଠି ହୋଇ ମୃତାହତଙ୍କ ପାଖରେ ପହଞ୍ଚିଥିଲେ। ଯେଉଁ ଆହତମାନଙ୍କ ପାଖରେ ନିଜର ସମ୍ପର୍କୀୟ ନଥିଲେ ସେମାନଙ୍କର ଯତ୍ନ ନେଇଥିଲେ। କେବଳ ସେତିକି ନୁହେଁ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ଚିହ୍ନଟ କରିବାଠାରୁ ଆରମ୍ଭ କରି ସାଙ୍ଗରେ ନେବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ର ସହାୟତା ଯୋଗାଇ ଦେଇଛନ୍ତି।

“ବାହାନଗା ଟ୍ରେନ ଦୁର୍ଘଟଣାରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ଏଭଳି ଏକ ବିପଦ ସମୟରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ବିପଦ ବେଳେ ସମସ୍ତେ ଏକାଠି ହୋଇ କାମ କରି ମାନବିକତାର ଏକ ବଡ଼ ପରିଚୟ ଦେଇଛନ୍ତି ଆମ ସ୍ୱେଚ୍ଛାସେବୀ”, କହିଛନ୍ତି ଆଇନାର ସମ୍ପାଦିକା ସ୍ନେହ ମିଶ୍ର।

ଗତ ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣାରେ ୨୮୮ ଯାତ୍ରୀ ପ୍ରାଣ ହରାଇଥିବାବେଳେ ୧୨ ଶହରୁ ଅଧିକ ଆହତ ହୋଇଥିଲେ। କିଛି ମୃତଦେହ ସମ୍ପର୍କୀୟମାନେ ନେଇଯାଇଥିବାବେଳେ କିଛି ଚିହ୍ନଟ ହୋଇନପାରି ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାରେ ସଂରକ୍ଷିତ ହୋଇ ରହିଛି। ଅନେକ ଆହତ ସୁସ୍ଥ ହୋଇ ଘରକୁ ଯାଇଥିବାବେଳେ ଆଉ କିଛି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ମୃତଦେହ ନେବାକୁ ଅପେକ୍ଷା କରିଥିବା ସମ୍ପର୍କୀୟମାନଙ୍କୁ ଖାଦ୍ୟ, ବସ୍ତ୍ରଠାରୁ ଆରମ୍ଭ କରି ସେମାନଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ଓଡ଼ିଶାର ଏହି ସ୍ୱେଚ୍ଛାସେବୀମାନେ। ସବୁବେଳେ ବିପଦର ବନ୍ଧୁ ହୋଇ ଆଗେଇ ଆସିଛି ସିଟିଜେନ ଓଡ଼ିଶା ସିଭିଲ ସୋସାଇଟି।

Tags: #BahanagaTrainTragedy #OdishaCivilSocietyOrganization #Odisha #TrainAccidentInOdisha #ShehaMishra

Comment