ଓଡ଼ିଶାଲାଇଭ୍ ବ୍ୟୁରୋ

depression

ସାଉଦି ଆରବର ରିୟାଦଠାରେ ନିର୍ଯାତନାର ଶିକାର ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ଅଭିମନ୍ୟୁ ସାମନ୍ତରାୟକଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେଲା ରିୟାଦରେ ଥିବା ଭାରତୀୟ ଦୂତାବାସ।

ବିଦେଶରୁ ପୁଣି ଆସିଲା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଖବର। ଖୋର୍ଦ୍ଧା ଜିଲ୍ଲା ସିକୋ ପଞ୍ଚାୟତ ଖଡ଼ିପଦର ଗାଁର ଅଭିମନ୍ୟୁ ସାମନ୍ତରାୟ ସାଉଦି ଆରବର ରିୟାଦକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି। ସ୍ଵାମୀଙ୍କୁ ନିର୍ଯାତନା ଦିଆଯାଉଥିବା ଖବର ପାଇ ହୃତଘାତରେ ପ୍ରାଣ ହରାଇଛନ୍ତି ଅଭିମନ୍ୟୁଙ୍କ ପତ୍ନୀ। ବନ୍ଦୀ ଅବସ୍ଥାରେ ଥିବା ଅଭିମନ୍ୟୁଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ସାମାଜିକ କର୍ମୀ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସହାୟତା ଲୋଡ଼ିଛନ୍ତି।

ସାଉଦି ଆରବର ରିୟାଦକୁ କାମ ପାଇଁ ଯାଇଥିଲେ ଖଡ଼ିପଦର ଗାଁର ଅଭିମନ୍ୟୁ ସାମନ୍ତରାୟ। ମୋସା ମହସିନ ଅଲ ଅୟିଦ ତାଙ୍କୁ ସେଠାରେ ଏକ କମ୍ପାନିରେ ନିଯୁକ୍ତ କରିଥିଲେ। ହେଲେ ଗତ ୫ ମାସ ହେଲା କାମ କରିଥିଲେ ମଧ୍ୟ ଅଭିମନ୍ୟୁଙ୍କୁ ଦରମା ମିଳିଲା ନାହିଁ। ଖାଇବା ପାଇଁ ମଧ୍ୟ ଦିଆଗଲା ନାହିଁ। ଦରମା ମାଗିଲେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିବା ନିଜ ପରିବାର ଲୋକଙ୍କୁ ଫୋନ କରି ଜଣାଥିଲେ ଅଭିମନ୍ୟୁ।

ଅଭିମନ୍ୟୁ ନିଜ ଘରକୁ ଫେରିବାକୁ ଚାହୁଁ ଥିଲେ ମଧ୍ୟ ତାଙ୍କୁ ଆସିବାକୁ ଦିଆଯାଉ ନାହିଁ। ତାଙ୍କୁ ଏକ ପ୍ରକାର ନଜର ବନ୍ଦୀ ଭାବେ ରଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ପଟେ ସ୍ଵାମୀଙ୍କର ଏପରି ଦୟନୀୟ ଅବସ୍ଥା ସମ୍ପର୍କରେ ଶୁଣି ସ୍ତ୍ରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ସ୍ତ୍ରୀର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ମଧ୍ୟ ନିଯୁକ୍ତିଦାତା ମୋସା ମହସିନ ତାଙ୍କୁ ଛାଡ଼ୁନଥିବା ଜଣାପଡ଼ିଛି।

ପରିବାର ଲୋକ ସାମାଜିକ କର୍ମୀ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସହାୟତା ଲୋଡ଼ିବା ପରେ ସେ ଅଭିମନ୍ୟୁଙ୍କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଡକ୍ଟର ପ୍ରହରାଜ ଏ ସମ୍ପର୍କରେ ସାଉଦି ଆରବରେ ଭାରତର ରାଷ୍ଟ୍ରଦୂତ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନଙ୍କ ସହ ଆଲୋଚନା କରିଥିଲେ। ଅଭିମନ୍ୟୁଙ୍କ ଉଦ୍ଧାର ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରିୟାଦରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷ ବର୍ଷ ଧରି ବିଦେଶକୁ କାମ ଅନ୍ଵେଷଣରେ ଆସୁଥିବା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ଏ ଦିଗରେ ଭାରତ ସରକାର ଏବଂ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ଡକ୍ଟର ପ୍ରହରାଜ କହିଛନ୍ତି ଭାରତୀୟ ଦୂତାବାସ ସହ ଯୁକ୍ତିଦାତା କମ୍ପାନି ଦ୍ଵାରା ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚୁକ୍ତି ପଞ୍ଜିକରଣ ବାଧ୍ୟତାମୂଳକ ହେବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ନିଯୁକ୍ତିଦାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି ସେ କହିଛନ୍ତି। ।

ନିର୍ଯାତନାର ଶିକାର ହେଉଥିବା ଶ୍ରମିକମାନଙ୍କୁ ସିଧାସଳଖ ସହାୟତା କରିବା ପାଇଁ ଓଡ଼ିଶା ସରକାର ତୁରନ୍ତ ଅଣ ରେସିଡେଣ୍ଟ ଓଡ଼ିଆ ସେଲ୍ (ଏନଆରଓ) ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି ବୋଲି ଡାକ୍ତର ଅରୁଣ କୁମାର ପ୍ରହରାଜ କହିଛନ୍ତି। କେବଳ ସେତିକି ନୁହେଁ ଚାକିରି ଚୁକ୍ତି କରିବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ନିଯୁକ୍ତିଦାତା କମ୍ପାନି ସମ୍ପର୍କରେ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। ଏ ସବୁ କ୍ଷେତ୍ରରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଡକ୍ଟର ପ୍ରହରାଜ ପ୍ରତିଶ୍ରୁତି ଦେଇଛନ୍ତି।

Tags: #RiyadhSaudiArabia #OdishaLabour #Odisha #OdishaLabour

Comment