ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ତାତିରେ ସିଝୁଛନ୍ତି ରାଜ୍ୟବାସୀ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ତାପମାତ୍ରା ସ୍ଵାଭାବିକଠାରୁ ୫ରୁ ୭ ଡିଗ୍ରୀ ଅଧିକ ହେବାର ସମ୍ଭାବନା ରହିଛି।

ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ସକାଳ ୫ଟା ୩୦ରୁ ଆରମ୍ଭ ହୋଇଯାଉଛି ଗୁଳୁଗୁଳି। ଶୁକ୍ରବାର ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ୩୦.୨ ଡିଗ୍ରୀ ତାପମାତ୍ରା ସହ ୯୨ ପ୍ରତିଶତ ଆର୍ଦ୍ରତା ରେକର୍ଡ କରାଯାଇଛି। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୪.୨ ଡିଗ୍ରୀ ଏବଂ ଆର୍ଦ୍ରତା ୭୩ ପ୍ରତିଶତ ରେକର୍ଡ କରାଯାଇଛି।

ଶୁକ୍ରବାର ଦିନ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୩୮ଡିଗ୍ରୀ ଟପିଥିବାବେଳେ ସମ୍ବଲପୁର ଏବଂ ହୀରାକୁଦର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା।

ସେହିପରି ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଏଠାରେ ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରର ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଛି। ଏହା ସହିତ ଭୁବନେଶ୍ଵର ଏବଂ ହୀରାକୁଦର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରର ୩୯ ଡିଗ୍ରୀ, ଚାନ୍ଦବାଲିର ୩୮.୪ ଡିଗ୍ରୀ, ଗୋପାଳପୁରର ତାପମାତ୍ରା ୩୭.୫ ଡିଗ୍ରୀ, ବାଲେଶ୍ଵରର ତାପମାତ୍ରା ୩୬.୨ ଡିଗ୍ରୀ, ପୁରୀର ୩୬ ଡିଗ୍ରୀ ଏବଂ ପାରାଦୀପର ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଗୁରୁବାର ଦିନ ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଅତି ଆବଶ୍ୟକ ନଥିଲେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନେ ସାଙ୍ଗରେ ପାଣି ବୋତଲ, ଛତା ନେବା ସହ ସୁତା ବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #SummerHeat #HeatRise #Odisha

Comment