ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗମନାଗମନର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ନୂଆ ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତାର ନବୀକରଣ କରିବା ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ଆଗାମୀ ଦୁଇ ବର୍ଷରେ ୫ ହଜାର କୋଟି ଟଙ୍କା ବିନିମୟରେ ରାଜ୍ୟରେ ୩ ହଜାର ୪୦୪ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବୁଧବାର କ୍ୟାବିନେଟ ବୈଠକରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଗ୍ରାମଗୁଡ଼ିକ ମଧ୍ୟରେ ରାସ୍ତା ସଂଯୋଗୀକରଣ କରିବା ପାଇଁ ଯୋଜନା ପ୍ରଣୟନ କରାଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଦୁର୍ଗମ ପାର୍ବତ୍ୟାଞ୍ଚଳ ଓ ମାଓବାଦୀ ପ୍ରଭାବିତ ଜିଲ୍ଲାରେ ଥିବା ଅପହଞ୍ଚ ଗାଁଗୁଡ଼ିକୁ ନିକଟବର୍ତ୍ତୀ ମୁଖ୍ୟ ସଡ଼କ ସହ ଯୋଡ଼ିବା ପାଇଁ ଉନ୍ନତମାନର ରାସ୍ତା ନିର୍ମାଣ କରାଯିବ।

ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୩-୨୪ ଓ ୨୦୨୪-୨୫ ପାଇଁ ମୋଟ ୯୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥରେ ୩୬୧.୩୪ କିଲୋମିଟର ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ରାସ୍ତା ନିର୍ମାଣ କାମ ଶେଷ ହେବ।

ସେହିପରି ଓଡ଼ିଶା ପଞ୍ଚାୟତିରାଜ ଓ ଅନ୍ୟ ସରକାରୀ ବିଭାଗର ରାସ୍ତାଗୁଡ଼ିକର ଉନ୍ନତିକାରଣ ମଧ୍ୟ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଅନ୍ତର୍ଗତ କରାଯିବ। ଏଥିରେ ଆଗାମୀ ଦୁଇ ବର୍ଷରେ ୧୮୧୪.୯୨ କିଲୋମିଟର ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ରାସ୍ତା ପ୍ରକଳ୍ପକୁ ଶେଷ କରାଯିବ। ଏଥିପାଇଁ ୧ ହଜାର ୮୯୩ କୋଟି ଟଙ୍କା ଖର୍ଚ୍ଚ ହେବ।

ଅନ୍ୟପଟେ ରାଜ୍ୟର ଗ୍ରାମାଞ୍ଚଳରେ ବଢ଼ୁଥିବା ଗମନାଗମନ ଓ ଯୋଗାଯୋଗର ଆବଶ୍ୟକତାର ପୂରଣ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ରାସ୍ତାଗୁଡ଼ିକର ଉନ୍ନତୀକରଣ ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କରାଯିବ। ଏଥିରେ ବର୍ତ୍ତମାନର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରାଯିବା ସହ ୫୫୪.୬୭ କିଲୋମିଟରର ନୂଆ ରାସ୍ତା ନିର୍ମାଣ କରାଯିବ। ଏଥିଲାଗି ଆଗାମୀ ଦୁଇଟି ଆର୍ଥିକ ବର୍ଷରେ ୯୧୮ କୋଟି ଟଙ୍କା ଖର୍ଚ୍ଚ ହେବ।

ବୁଧବାର କ୍ୟାବିନେଟ ବୈଠକରେ ରାଜ୍ୟରେ ରାସ୍ତା ନିର୍ମାଣ ସହ ଦୁର୍ଗମ ଅଞ୍ଚଳରେ ଅନେକ ସେତୁ ନିର୍ମାଣ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏହାଛଡ଼ା ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ଯୋଡ଼ିବା ପାଇଁ ନୂଆ ରାସ୍ତା ନିର୍ମାଣ ହେବ। ଏଥିପାଇଁ ଦୁଇ ବର୍ଷରେ ୧ ହଜାର ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ।

Tags: #CabinetMeeting #RoadConstuction #RuralConnectivity #CabinetDecision #Odisha

 

 

 

Comment