ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପେଶାଲ ଅଲିମ୍ପିକ୍ସ ଓ୍ଵାର୍ଲ୍ଡ ଗେମସ୍ ୨୦୨୩ରେ ଚମକିଛନ୍ତି ଓଡ଼ିଆ ଝିଅ କଳ୍ପନା ଜେନା। ଜର୍ମାନୀର ବର୍ଲିନଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ସାଇକ୍ଲିଂ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି କଳ୍ପନା।

ନିକଟରେ ସ୍ପେଶାଲ ଅଲିମ୍ପିକ୍ସ ଓ୍ଵାର୍ଲ୍ଡ ଗେମସ୍‌ର ୨ କିଲୋମିଟର ଟାଇମ୍ ଟ୍ରାଏଲ୍ ସାଇକିଂ ଇଭେଣ୍ଟରେ କଳ୍ପନା ଭାଗ ନେଇଥିଲେ। ମାତ୍ର ୫.୪୨ ମିନିଟ୍‌ରେ ସେ ଏହି ଇଭେଣ୍ଟ ରେସ୍‌ ଟ୍ରାକକୁ ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି। କଳ୍ପନାଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଚ୍ଛାର ସୁଅ ଛୁଟିଛି।

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ରେଗେଡ଼ାପଡ଼ା ଗାଁର ଏକ ଗରିବ କୃଷକ ପରିବାରରେ କଳ୍ପନାଙ୍କ ଜନ୍ମ। ବାପା ଗଦାଧର ଜେନା ଏବଂ ମା’ ଗୀତାଞ୍ଜଳି ଜେନା କୃଷିକାର୍ଯ୍ୟ କରି ପରିବାର ଚଳାନ୍ତି। ପିଲାଟିବେଳୁ କ୍ରୀଡ଼ା କ୍ଷେତ୍ର ପ୍ରତି କଳ୍ପନାଙ୍କ ଦୁର୍ବଳତା ଥିଲା। ବିଭିନ୍ନ ପ୍ରକାର ଖେଳ ଖେଳିବାକୁ ସେ ପସନ୍ଦ କରୁଥିଲେ।ବିଭିନ୍ନ କ୍ରୀଡ଼ା ମଧ୍ୟରୁ ସାଇକ୍ଲିଂ ଲାଗି କଳ୍ପନାଙ୍କ ଦୁର୍ବଳତା ଥିଲା ବେଶ୍ ଅଧିକ। ହେଲେ ନିଜର ସାଇକେଲଟିଏ ନଥିବାରୁ ସାଙ୍ଗସାଥୀଙ୍କଠୁ ସାଇକେଲ ମାଗି ପ୍ରତିଦିନ ଅଭ୍ୟାସ କରୁଥିଲେ କଳ୍ପନା। ସାଇକ୍ଲିଂ ପ୍ରତି ତାଙ୍କର ଏଭଳି ଆଗ୍ରହ ଦେଖି ସ୍ଥାନୀୟ ବିଧାୟକ ତାଙ୍କୁ ଏକ ରେସିଂ ସାଇକେଲ ଉପହାର ଦେଇଥିଲେ। ଏହାପରେ ୨୦୧୯ ମସିହାରେ ସାଇକେଲିଂ କୋଚ୍ ବିବେକାନନ୍ଦ ମହାନ୍ତି ତାଙ୍କୁ ସାଇକ୍ଲିଂ ତାଲିମ୍ ଦେଇଥିଲେ। ସେହିପରି ଜାତୀୟ ସାଇକ୍ଲିଂ ଚାମ୍ପିୟନ ସତବୀର ସିଂହ ସହୋତାଙ୍କଠାରୁ ମଧ୍ୟ କଳ୍ପନା ତାଲିମ୍ ପାଇଛନ୍ତି।

ସ୍ପେଶାଲ ଅଲିମ୍ପିକ୍ସ ଓ୍ଵାର୍ଲ୍ଡ ଗେମସ୍ ୨୦୨୩ର ସାଇକ୍ଲିଂ ଇଭେଣ୍ଟରେ କଳ୍ପନାଙ୍କ ସମେତ ଭାରତରୁ ଆଉଜଣେ କ୍ରୀଡ଼ାବିତ ଶିବାନୀ ମଧ୍ୟ ଭାଗ ନେଇଥିଲେ। ସେ ଏହି ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

Tags: #KalpanaJena #SpecialOlympicsWorldGames2023 #Cycling #Odisha #Sports

Comment