ଓଡ଼ିଶାଲାଇଭ୍ ବ୍ୟୁରୋ

“ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ଏବେ ବି ପିରିୟଡସକୁ ନେଇ ଅନେକ ଅନ୍ଧବିଶ୍ଵସ ରହିଛି। ଅନେକ ଲୋକ ଏହାକୁ ଅପବିତ୍ର ବୋଲି ମଧ୍ୟ ଭାବନ୍ତି। ପିରିୟଡସ୍ ଗୋଟିଏ ସମସ୍ୟା ନୁହେଁ, ଏହା ହେଉଛି ନାରୀ ଜୀବନର ଏକ ପରିଚୟ। ‘ପିରିୟଡସ୍’ ନାରୀ ଜୀବନରେ ପୂର୍ଣ୍ଣତା ଆଣିଦିଏ”, କୁହନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

ବର୍ତ୍ତମାନ ପିରିୟଡସକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ। ପିରିୟଡସ୍ ବା ଋତୁସ୍ରାବ ସମୟରେ ସ୍ଵଚ୍ଛତା ରକ୍ଷା କରିବା ଜାରୁରୀ। କାରଣ ଏହି ସମୟରେ ଇନଫେକ୍ସନ ହେବାର ଅଧିକ ସମ୍ଭାବନା ରହିଥାଏ। ଏହି ଇନଫେକ୍ସନ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟାର କାରଣ ମଧ୍ୟ ପାଲଟେ। ପିରିୟଡସକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଚୁପ୍ ନରହି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ପିରିୟଡସ୍ ସ୍ଵଚ୍ଛତା ଦିବସ ଅବସରରେ କହିଛନ୍ତି ସୁଲୋଚନା ଦାସ।

ପିରିୟଡସ୍ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍, ସ୍ଵସ୍ଥ୍ୟଭିତ୍ତିକ ଡିଜିଟାଲ ପ୍ଲାଟଫର୍ମ ସ୍ଵସ୍ଥ୍ୟପ୍ଲସ ନେଟୱର୍କ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏକ ସ୍ଵତନ୍ତ୍ର ଅଭିଯାନ ‘ଚାଲ ପିରିୟଡସ ବିଷୟରେ କଥା ହେବା’ ଅନୁଷ୍ଠିତ ହୋଇଥିଲା।

“ଏବେ କିଶୋରୀମାନେ ଧୀରେ ଧୀରେ ପିରିୟଡସକୁ ନେଇ ଲାଜ ଛାଡ଼ିବା ସହ ପରିବାର, ସାଙ୍ଗସାଥୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ଆରମ୍ଭ କଲେଣି। ଆଗରୁ ଯେଉଁମାନେ ପ୍ୟାଡ କିଣିବାକୁ କୁଣ୍ଠାବୋଧ କରୁଥିଲେ, ଏବେ ମୁହଁଖୋଲି ପ୍ୟାଡ ମାଗିପାରୁଛନ୍ତି। ପିରିୟଡସକୁ ନେଇ ଆହୁରି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି” କୁହନ୍ତି ଭୁବନେଶ୍ଵର ମେୟର।

ସ୍କୁଲଗୁଡ଼ିକରେ ’ଖୁସି’ ଯୋଜନା ଅନ୍ତର୍ଗତ ସାନିଟାରି ନ୍ୟାପକିନ ଯୋଗାଇ ଦିଆଯାଉଛି। ବିଭିନ୍ନ ସ୍ଥାନରେ ସାନିଟାରି ନ୍ୟାପକିନ ଏଟିଏମ କରିବା ପାଇଁ ସରକାରଙ୍କ ଯୋଜନା ରହିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ସାନିଟାରି ନ୍ୟାପକିନକୁ ବ୍ୟବହାର ପରେ କିଭଳି ଡିସପୋଜ କରାଯିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏହାକୁ ନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସୁଲୋଚନା ଦାସ କହିଛନ୍ତି।

Tags: #LetsTalkAboutPeriods #SulochanaDasMayorBhubaneswar #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll

Comment