ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ ଓଡ଼ିଶା ଛୁଇଁଛି। ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ଅଗ୍ରସର ହୋଇଛି ମୌସୁମୀବାୟୁ। ଏଥିପାଇଁ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଏବେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ  ଆସିଥିବାବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ପ୍ରବେଶ କରିବ। ଏନେଇ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଫଳରେ ପାଗରେ ପରିବର୍ତ୍ତନ ଆସିଛି। ଲୋକଙ୍କୁ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ଵସ୍ତି ମିଳିଛି।

ଅନ୍ୟପଟେ ମୌସୁମୀ ପ୍ରଭାବରେ ଗୁରୁବାର ସକାଳୁ ଭୁବନେଶ୍ଵର ଓ କଟକରେ ପ୍ରବଳ ବର୍ଷା ଜାରି ରହିଛି। ଭୁବନେଶ୍ଵରରେ ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ରାଜଧାନୀର କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

ସେହିପରି ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ରହିବା ଓ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ରାଜ୍ୟରେ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #SouthWestMonsoon #Rain #Odisha #IMD #MCBBSR

 

Comment