ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ୨ ସପ୍ତାହ ବିଳମ୍ବରେ ଓଡ଼ିଶାରେ ପହଞ୍ଚିଛି। ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଓଡ଼ିଶାରେ ଅଗ୍ରସର ହୋଇଛି ମୌସୁମୀ। ଏହା ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ ୩ରୁ ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମାଧ୍ୟମ ଧରଣର ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ପ୍ରଭାବରେ ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ଗଜପତି, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ଶୁକ୍ରବାର ଦିନ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧.୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟରେ ବର୍ଷାର ମାତ୍ରା ସ୍ଵାଭାବିକଠାରୁ ୧୩୯ ପ୍ରତିଶତ ଅଧିକ ରହିଛି।

ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୫୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲ୍ଲାର ମାଥିଲିରେ ୧୦୩ ମିଲିମିଟର ବର୍ଷା ହୋଇଛି।

ଅନ୍ୟପଟେ ମୌସୁମୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Tags: #SouthWestMonsoon #Rain #Odisha #IMD #MCBBSR

Comment