ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହି ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାଫଳରେ ରାଜ୍ୟରେ  ଆହୁରି ଦୁଇଦିନ ବର୍ଷା ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାୟୁମଣ୍ଡଳର ୭.୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି। ଏଥିପାଇଁ ରବିବାରଠାରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ସୋମବାର ପ୍ରବଳ ପାଇଁ ବର୍ଷା ନୂଆପଡ଼ା, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଅନ୍ୟ ୧୧ଟି ଜିଲ୍ଲାରେ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପଟେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷାର ପରିମାଣ ସ୍ଵାଭାବିକଠାରୁ ୨୬୯ ପ୍ରତିଶତ ଅଧିକ ରହିଛି। ଅନୁଗୁଳ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ରବିବାର ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ଦେବଗଡ଼ରେ ୧୨୩, ଝାରସୁଗୁଡ଼ାରେ ୧୦୩.୪, ଢେଙ୍କାନାଳରେ ୧୦୧.୨, ନୂଆପଡ଼ାରେ ୧୦୧, ବୌଦ୍ଧରେ ୧୦୦ ଓ ବଲାଙ୍ଗୀର ଜିଲ୍ଲାରେ ୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ମଧ୍ୟପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଏଥିପାଇଁ ଜାରି ରହିଥିବା ବର୍ଷା ଯୋଗୁଁ ରାଜ୍ୟର ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ତେବେ ଜଳନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୨୪ ଘଣ୍ଟା ପାଇଁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି।

Tags: #MonsoonRain #LowPressure #SouthwestMonsoon #MCBBSR #Odisha

Comment