ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ମୃତ୍ୟୁ ମାମଲାରେ ୩ ଜଣଙ୍କ ବିରୋଧରେ ଏନବିଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ। ଏହି ୩ ଜଣ ହେଉଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ।

ଆସନ୍ତା ୭ ତାରିଖ ମଧ୍ୟରେ କୋର୍ଟରେ ହାଜର ହେବାକୁ ତିନି ଜଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ପଟେ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଗତ ଜୁନ ୧୬ ତାରିଖରେ ବିଦ୍ୟାଭାରତୀ, ସଂଗ୍ରାମ କେଶରୀ ବେହେରା ଏବଂ ମନ୍ମଥ କୁମ୍ଭଙ୍କୁ ହାଜର ହେବା ପାଇଁ ଏସଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ସେମାନେ କୋର୍ଟରେ ଅନୁପସ୍ଥିତ ରହିବା ସହ ଅଧିକ ସମୟ ମାଗିଥିଲେ।

ବିଦ୍ୟାଭାରତୀଙ୍କ ତରଫରୁ ତାଙ୍କ ଆଇନଜୀବୀ କୋର୍ଟଙ୍କୁ ୪ ସପ୍ତାହ ସମୟ ମାଗିଥିବାବେଳେ ରୋଷେୟା ମନ୍ମଥ କୁମ୍ଭ ଦୁଇ ସପ୍ତାହ ସମୟ ମାଗିଥିଲେ। ଅଭିଯୁକ୍ତମାନେ ଜାଣିଶୁଣି ବିଚାର ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅନୁଭବ କରି କୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି।

ଗତ ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ସନ୍ଦେହଜନକ ଅବସ୍ଥାରେ ନିଆଁରେ ପୋଡ଼ି ହୋଇଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ମାମଲା ଦାଏର କରିଥିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା।

Tags: #ACFSoumyaranjanMohapatraUnnaturalDeathcase #NBW #ParalakhemundiSDJMCourt #DFO #Odisha #ParalakhemundiSCF

Comment