ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବା ବଜାରରେ ମହଙ୍ଗା ମାଡ଼। ପରିବାର ମୂଲ୍ୟ ଶୁଣି ଛାନିଆଁ ହେଉଛନ୍ତି ସାଧାରଣ ଲୋକ। ଏବେ ରୋଷେଇ ଘରୁ ଅନେକ ପରିବାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ।

କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ମୂଲ୍ୟ ହଠାତ୍ ୧୦୦ ଟଙ୍କା ଟପିଥିଲା। ଏହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଲୋକେ। ଓଡ଼ିଶାକୁ ଯେଉଁ ଦୁଇ ରାଜ୍ୟରୁ ଟମଟୋ ଆମଦାନୀ ହୁଏ ସେଠାରେ ପୋକ ଲାଗି ଟମାଟୋ ଚାଷ ପ୍ରଭାବିତ ହୋଇଥିବାରୁ ଅମଳ ପରିମାଣ କମିଯାଇଛି। ତେଣୁ ଟମାଟୋର ମୂଲ୍ୟ ଆକାଶ ଛୁଆଁ ହୋଇଥିବା କଞ୍ଚା ପରିବାର ବ୍ୟବସାୟୀ ମହାସଂଘ କହିଥିଲା।

ଲୋକେ ଭାବିଥିଲେ ଅନ୍ୟ କୌଣସି ପରିବାର ମୂଲ୍ୟରେ ଏତେ ପରିମାଣରେ ବୃଦ୍ଧି ହେବ ନାହିଁ। କିନ୍ତୁ ବର୍ତ୍ତମାନ ସବୁ ପରିବାର ଦର ଦୁଇଗୁଣା ବଢ଼ିଛି।

ଦୁଇଦିନ ତଳେ ଯେଉଁ ପରିବା କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେହି ପରିବା ଦର ଦୁଇ ଗୁଣା ବୃଦ୍ଧି ପାଇଛି। ପ୍ରଥମେ ଟମାଟୋ ମୂଲ୍ୟରେ ବୃଦ୍ଧି ହେବା ପରେ ଏବେ ସବୁ ପରିବାର ଦର ବଢ଼ିଛି।

ଭୁବନେଶ୍ଵର ସ୍ଥିତ ଏକ ନମ୍ବର ହାଟରେ ବିନ୍‌ସ କିଲୋଗ୍ରାମ ପିଛା ୨୫୦ ଟଙ୍କା ରହିଥିବାବେଳେ ଝୁଡ଼ଙ୍ଗ କିଲୋ ୧୦୦ରୁ ୧୨୦ ଟଙ୍କା ରହିଛି। ସେହିପରି କ୍ୟାପସିକମ୍ ୧୫୦ ଟଙ୍କା, ଫୁଲକୋବି ୮୦ ଟଙ୍କା, ବାଇଗଣ କିଲୋ ୯୦ରୁ ୧୧୦ ଟଙ୍କା, ପୋଟଳ କିଲୋ ୧୦୦ ଟଙ୍କା, ଟମାଟୋ କିଲୋ ୧୦୦ ଟଙ୍କା, ଭେଣ୍ଡି କିଲୋ ୯୦ ଟଙ୍କା ଏବଂ କଲରା କିଲୋ ୧୦୦ ଟଙ୍କା ରହିଛି। କିନ୍ତୁ ଖୁଚୁରା ବଜାରରେ ପରିବା ଦର ୨୦ରୁ ୩୦ ଟଙ୍କା ଅଧିକ ରହିଛି।

“ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ। ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସାଧାରଣତଃ ବେଙ୍ଗାଳୁରୁ, ଆନ୍ଧ୍ରପ୍ରଦେଶ, କୋଲକାତା, ନାସିକ, ରାୟପୁରରୁ ଚଢ଼ା ଦରରେ ପରିବା କିଣାଯାଉଛି। ତେଣୁ ଏଠାରେ ପରିବା ମୂଲ୍ୟ ବଢ଼ିଛି। ଏହା ଦ୍ଵାରା କେବଳ ଖାଉଟି ନୁହଁନ୍ତି, ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି”, କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ଵାଇଁ।

ଲୋକଙ୍କ ଆବଶ୍ୟକତା ତୁଳନାରେ ଉତ୍ପାଦନ କମିଛି। ଫଳରେ ପରିବା ମୂଲ୍ୟରେ ବୃଦ୍ଧି ହୋଇଛି। ଅତ୍ୟଧିକ ଗରମ ସହ ମୌସୁମୀରେ ବିଳମ୍ବ ବା ବର୍ଷାର ଅଭାବ ପରିବା ଚାଷକୁ ପ୍ରଭାବିତ କରିଛି ବୋଲି ବ୍ୟବସାୟୀ କହିଛନ୍ତି।

Tags: #Vegetables #VegetablesPriceHike #Odisha #VegetableMarket

Comment