ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବା ବଜାରରେ ଏବେ ରାଜ କରୁଛି କଞ୍ଚାଲଙ୍କା। ଦେଖିବାକୁ ଛୋଟ, ହେଲେ ଦାମ ଶୁଣିଲେ ଗ୍ରାହକଙ୍କ ହୋସ୍ ଉଡ଼ିଯାଉଛି। ରୋଷେଇ ଘରୁ ଏବେ କଞ୍ଚାଲଙ୍କାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ।

ଏବେ କଞ୍ଚାଲଙ୍କା କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି। କଞ୍ଚାଲଙ୍କା ଖାଇବାକୁ ଭଲ ପାଉଥିବା ଗ୍ରାହକ ଏବେ ଏହାକୁ ଦେଖି ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି।

କିଛି ଦିନ ପୂର୍ବରୁ ଟମାଟୋ ଦର ଶୁଣି ଛାନିଆ ହେଉଥିବା ଗ୍ରାହକ ଏବେ କଞ୍ଚାଲଙ୍କା ଦର ଶୁଣି ତାଟକା ହେଉଛନ୍ତି। କଞ୍ଚାଲଙ୍କା ପଛକୁ ରହିଛି ଅଦାର ମୂଲ୍ୟ। ଏବେ ବଜାରରେ ଅଦା କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି। ସବୁ ପରିବା ଦର କିଲୋ ପିଛା ଏବେ ୧୦୦ ଟଙ୍କା ଟପିଛି।

ବର୍ଷା ଦିନେ ସାଧାରଣତଃ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ବିପୁଳ ପରିମାଣରେ କଞ୍ଚାଲଙ୍କା ଓଡ଼ିଶା ବଜାରକୁ ଆସିଥାଏ। କିନ୍ତୁ ଚଳିତ ବର୍ଷ କମ ଚାଷ ହୋଇଥିବାରୁ ଲଙ୍କା ମୂଲ୍ୟରେ ବୃଦ୍ଧି ହୋଇଥିବା କହିଛନ୍ତି ପରିବା ବ୍ୟବସାୟୀ।

“ଅତ୍ୟଧିକ ଖରା, ମୌସୁମୀରେ ବିଳମ୍ବ ଏବଂ ଏବେ ପ୍ରବଳ ବର୍ଷା। ଫଳରେ ଲଙ୍କା ଚାଷ ପ୍ରଭାବିତ ହୋଇଛି। ଖରା ଯୋଗୁଁ ମଧ୍ୟ ଫସଲ ଭଲ ହୋଇନାହିଁ। ଉତ୍ପାଦନ କମ୍ ହୋଇଥିବାରୁ ଦର ବଢ଼ିଛି। ବଜାରକୁ ନୂଆ ଫସଲ ଆସିବା ଯାଏଁ କଞ୍ଚାଲଙ୍କା ସହ ଅନ୍ୟାନ୍ୟ ପରିବା ଦର ଚଢ଼ା ରହିବ”, କହିଛନ୍ତି କଞ୍ଚାପରିବା ବ୍ୟବସାୟୀ ମହାସଂଘ ସଭାପତି କବିରାଜ ସ୍ଵାଇଁ।

Tags: #Vegetables #GreenChili #VegetablesPriceHike #Odisha

Comment