ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଓ୍ଵାର ପରିବାରର କ୍ଷମତା ଲଢ଼େଇ, ବିଗତ ଦିନରେ ଘଟିଥିବା ଅନେକ ରାଜନୈତିକ ପରିବାରର ଲଢ଼େଇକୁ ତାଜା କରିଛି।

  • ଭାରତୀୟ ରାଜନୀତିରେ ନୂଆ ନୁହେଁ ପରିବାର ଲଢ଼େଇ
  • ଚୌକି ପାଇଁ ଦାଦାପୁତୁରା ଲଢ଼େଇ ବି ପୁରୁଣା
  • ଶଶୁରଙ୍କଠାରୁ ଦଳ ଛଡ଼ାଇ ନେଇଥିଲେ ଜ୍ଵାଇଁ
  • ଗାନ୍ଧୀ ପରିବାରରେ ବି ଲଢେ଼ଇ ଦେଖିଛି ଦେଶ
  • କ୍ଷମତା ଲଢ଼େଇରେ ମାଆପୁଅ ବାପା ପୁଅ

“ଅବସର ନେବାର ଗୋଟେ ବୟସ ଥାଏ। ସରକାରୀ ଚାକିରିରେ ୬୦ ବର୍ଷ, ବିଜେପିରେ ୭୫ ବର୍ଷ। ଆପଣଙ୍କୁ ୮୩ ବର୍ଷ ହେଲାଣି, ଆପଣ ବିଶ୍ରାମ ନିଅନ୍ତୁ ଓ ଆମକୁ ଆଶୀର୍ବାଦ କରନ୍ତୁ। ଆମେ ଆପଣଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛୁ।” ନିଜର ପିତୃତୁଲ୍ୟ ଦାଦା ତଥା ରାଜନୈତିକ ଗୁରୁ ଶରଦ ପାଓ୍ଵାରଙ୍କ ପ୍ରତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାରଙ୍କର ଏହି ମନ୍ତବ୍ୟ। ଅଜିତଙ୍କ ଏହି ମନ୍ତବ୍ୟ ପୁଣି ଥରେ ପ୍ରମାଣିତ କରିଛି ଯେ ରାଜନୀତି ଏମିତି ଏକ ମୋହ ଯାହା ଆଗରେ ସବୁ ସମ୍ପର୍କ ତୁଛ। ଶରଦଙ୍କଠାରୁ ଏନସିପିର ପାଓ୍ଵାର ଛଡ଼ାଇ ନେବାରେ ସଫଳ ହୋଇଛନ୍ତି ଅଜିତ।

ବୁଧବାର ଦିନ ଅଜିତଙ୍କ ଗୋଷ୍ଠୀ ଓ ଶରଦଙ୍କ ଗୋଷ୍ଠୀ ଅଲଗା ଅଲଗା ସ୍ଥାନରେ ବିଧାୟକମାନଙ୍କୁ ନେଇ ବୈଠକ ଡାକିଥିଲେ। ଅଜିତଙ୍କ ଶିବିରରେ ୩୦ରୁ ଅଧିକ ବିଧାୟକ ପହଞ୍ଚିଥିବାବେଳେ ଶରଦଙ୍କ ଶିବିରରେ ୧୮ ବିଧାୟକ ଉପସ୍ଥିତ ଥିଲେ। ସଂଖ୍ୟା ଦୃଷ୍ଟିରୁ ଶରଦଙ୍କ ପଲ୍ଲା ଦୁର୍ବଳ ହେଇଗଲା। ସଂଖ୍ୟା ଖେଳରେ ଆଗରେ ରହିଥିବା ଅଜିତଙ୍କ ହାତରେ ରହିଲା ଏନସିପିର କ୍ଷମତା।

ଅନ୍ୟପଟେ ଶରଦ ପାଓ୍ଵାରଙ୍କ ପ୍ରତି ଅଜିତଙ୍କ ମନ୍ତବ୍ୟକୁ ନେଇ ଶରଦଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, “ଅଜିତ ଆଉ କାହାକୁ ଅପମାନିତ କରିବାକୁ ଚାହୁଁଛନ୍ତି କରନ୍ତୁ, କିନ୍ତୁ ଶରଦଙ୍କ ପ୍ରତି ଟିକେ ବି ଅବମାନନା ସହିବା ଅସମ୍ଭବ।”

ଦାଦା-ପୁତୁରାଙ୍କର ଏହି କ୍ଷମତା ଲଢ଼େଇକୁ ନେଇ ମହାରାଷ୍ଟ୍ର ଓ ଦିଲ୍ଲୀ ରାଜନୀତିକୁ ହଲଚଲ୍ ସୃଷ୍ଟି ହୋଇଥିଲା। ଏତେ ସବୁ ଘଟଣା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଅଜିତ ଘଟାଇ ଥିଲେ ମଧ୍ୟ ସିନିୟର ପଓ୍ଵାରଙ୍କୁ ସାମାନ୍ୟତମ ସୂଚନା ନ ମିଳିବା ରାଜନୀତି ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଫୁଲ ପଟେଲଙ୍କ ପଦକ୍ଷେପ ଆଘାତ ଦେଇଥିବା ଶରଦ କହୁଥିବା ବେଳେ ପ୍ରଫୁଲ୍ଲ ଅଜିତଙ୍କ କ୍ୟାମ୍ପରେ ସାମିଲ ହେବା ରାଜନୀତି ସମୀକ୍ଷକଙ୍କୁ ଚକିତ କରିଛି। କାରଣ ଅଜିତଙ୍କୁ ସଂଗଠନରେ କିଛି କ୍ଷମତା ଦେଇନଥିଲେ ଶରଦ ପଓ୍ଵାର। ବରଂ ପ୍ରଫୁଲ୍ଲ ପଟେଲଙ୍କୁ ଦଳର ମହାସଚିବ କରିଥିଲେ। ଏବେ ଚର୍ଚ୍ଚା ହେଉଛି ମହାରାଷ୍ଟ୍ରର ଏହି ମହାନାଟକ ଓ ପାଓ୍ଵାର ପରିବାରରେ ଫାଟ ସବୁ ପ୍ରଫୁଲ୍ଲଙ୍କ ଷଡ଼ଯନ୍ତ୍ର ଥିଲା।

ମିଳିଥିବା ସୂଚନା ଅନୁସାରେ କିଛି ଦିନ ହେଲା ଦିଲ୍ଲୀ ବିଜେପି ନେତାଙ୍କ ସହ ପ୍ରଫୁଲ୍ଲ ହିଁ ଯୋଗାଯୋଗରେ ଥିଲେ। କେମିତି ମହାରାଷ୍ଟ୍ରରେ ଏନ୍‌ସିପି-ଏନ୍‌ଡିଏ ମେଣ୍ଟ ତଥା ସିନ୍ଦେ ସରକାରରେ ସାମିଲ ହେବ ସେଥିପାଇଁ ବ୍ଲୁପ୍ରିଣ୍ଟ ଦିଲ୍ଲୀରୁ ପ୍ରସ୍ତୁତ ହୋଇଥିଲା। ନିଜେ ଦଳରେ କଣଠେସା ଅନୁଭବ କରୁଥିବା ଅଜିତ ପ୍ରଫୁଲ୍ଲଙ୍କ ସହ ମିଶି ଦାଦା ତଥା ସନିୟର ପାଓ୍ଵାରଙ୍କୁ ଚେକ୍‌ମେଟ୍ ଦେବାକୁ ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ। ଯେମିତି ଏହି ଉଦ୍ୟମ ବିଫଳ ନହେବ ସେଥିପାଇଁ ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଯୋଜନା ସଫଳ ମଧ୍ୟ ହେଲା, ସିନିୟର ପାଓ୍ଵାରଙ୍କଠାରୁ ପାଓ୍ଵାର ଛଡ଼ାଇଲେ ଜୁନିଅର। ପାଓ୍ଵାର ପରିବାରର ଏହି କ୍ଷମତା ଲଢ଼େଇ ବିଗତ ଦିନରେ ଘଟିଥିବା ଅନେକ ରାଜନୈତିକ ପରିବାରର ଲଢ଼େଇକୁ ପୁଣି ତାଜା କରିଦେଇଛି।

କ୍ଷମତା ପାଇଁ ପରିବାରରେ ଫାଟ

ରାଜନୀତି ଓ ପରିବାର ମଧ୍ୟରେ ଲଢ଼େଇ ଭାରତୀୟ ରାଜନୀତି ଇତିହାସରେ କିଛି ନୂଆ କଥା ନୁହେଁ। କ୍ଷମତାର ମୋହରେ ଆଗରୁ ଅନେକ ଲଢ଼େଇ ହୋଇଛି। ବାପା ପୁଅ, ଭାଇ ଭଉଣୀ, ଜ୍ଵାଇଁ ଓ ଶଶୁରଙ୍କ ଲଢ଼େଇ ବି ଏ ଦେଶର ଭୋଟର ଦେଖିଛନ୍ତି। ପରିବାର ଭିତରେ ଲଢ଼େଇ ପାଇଁ ଅନେକ ରାଜନୈତିକ ତିକ୍ତତା ଦେଖିବାକୁ ମିଳିଛି। ଗାନ୍ଧୀ ପରିବାର, ହରିୟାଣାର ଚୌତାଲା ପରିବାର, ତାମିଲନାଡୁରେ କରୁଣାନିଧିଙ୍କ ପରିବାର, ପଞ୍ଜାବରେ ବାଦଲ ପରିବାର, ଓଡ଼ିଶାରେ ଗମାଙ୍ଗୋ ପରିବାର, ଆନ୍ଧ୍ରରେ ଓ୍ଵାଇଏସ୍‌ଆରଙ୍କ ପରିବାର, ପାଶଓ୍ଵାନ ପରିବାରରେ ଫାଟ  କ୍ଷମତା ଲୋଭରୁ ହିଁ ଜନ୍ମ ନେଇଛି। ସବୁଠାରୁ ବଡ଼ କଥା ଉତ୍ତର ପ୍ରଦେଶରେ ବାପା-ପୁଅ ମଧ୍ୟରେ ଲଢ଼େଇ, ରାଜନୀତିରେ ଅଧୋଗତିକୁ ପ୍ରମାଣିତ କରିଛି।

ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟ ଗାନ୍ଧୀଙ୍କର ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ମାନେକା ଗାନ୍ଧୀଙ୍କୁ କଂଗ୍ରେସ ପକ୍ଷରୁ କିଛି ରାଜନୈତିକ ଉତ୍ତାରାଧିକାର ମିଳିନଥିଲା। ତେଣୁ ସେ ଘରୁ ବାହାରକୁ ପାଦ ଥାପିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ଦେଢ଼ଶୂର ରାଜୀବ ଗାନ୍ଧୀଙ୍କ ବିରୋଧରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ପରେ ମାନେକା ଗାନ୍ଧୀ ଓ ତାଙ୍କ ପୁଅ ବରୁଣ ଗାନ୍ଧୀ ବିଜେପିରେ ସାମିଲ ହୋଇଥିଲେ।

ଯାଦବ ବାପାପୁଅ ଲଢ଼େଇ

ଉତ୍ତରପ୍ରଦେଶରେ କ୍ଷମତା ପାଇଁ ଅଖିଳେଶ ଯାଦବ ଓ ମୁଲାୟମ ସିଂ ଯାଦବଙ୍କ ମଧ୍ୟରେ ରାଜନୈତିକ ଲଢ଼େଇକୁ ସମସ୍ତେ ଦେଖିଛନ୍ତି। ମୁଲାୟମ ସମର୍ଥନ କରୁଥିବା ନେତାଙ୍କ ସହ ଅଖିଳେଶଙ୍କର ଭଲ ପଡୁନଥିଲା। ଅଖିଳେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଲାୟମଙ୍କ ପୁରୁଣା ସମର୍ଥକମାନଙ୍କ କ୍ଷମତା ଗୌଣ କରିବାରେ ଲାଗିଥିଲେ। ଏହାକୁ ନେଇ ମୁଲାୟମ ଅସନ୍ତୁଷ୍ଟ ହେଉଥିଲେ। କିନ୍ତୁ ଯେଉଁଦିନ ଅଖିଳେଶ ନିଜ ଦାଦା ଶିବପାଲ ଯାଦବଙ୍କୁ କ୍ୟାବିନେଟରୁ ବାଦ୍ ଦେଇଥିଲେ ସେତେବେଳେ ମୁଲାୟମଙ୍କ ରୋଷ ଚରମ ସୀମାରେ ପହଞ୍ଚିଥିଲା। ମୁଲାୟମ ନିଜ ପୁଅ ବଦଳରେ ଭାଇଙ୍କୁ ସମର୍ଥନ କରିଥିଲେ। ସମାଜବାଦୀ ପାର୍ଟି ଭିତରେ ବାପା-ପୁଅ ଗୋଷ୍ଠୀ ଅଲଗା ଅଲଗା ହୋଇଯାଇଥିଲେ।

୨୦୧୬ ଡିସେମ୍ବରରେ ଅଖିଳେଶ ଓ ତାଙ୍କ ସମର୍ଥକ ତଥା ମୁଲାୟମଙ୍କ ଆଉ ଜଣେ ଭାଇ ରାମଗୋପାଳଙ୍କୁ ପାର୍ଟିରୁ ନିଲମ୍ବନ କରିଦେଇଥିଲେ। କିନ୍ତୁ ୨୩୯ ସମାଜବାଦୀ ପାର୍ଟି ବିଧାୟକଙ୍କ ମଧ୍ୟରୁ ୨୦୦ ବିଧାୟକଙ୍କ ସମର୍ଥନ ଅଖିଳେଶଙ୍କ ପ୍ରତି ରହିବାରୁ ମୁଲାୟମ ବାଧ୍ୟ ହୋଇ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ବାପା-ପୁଅଙ୍କର ଏହି ଲଢ଼େଇର ପ୍ରଭାବ ୨୦୧୭ ନିର୍ବାଚନରେ ପଡ଼ିଥିଲା, ଅଖିଳେଶଙ୍କ ଛବି ବେଶ ଭଲ ଥିଲେ ମଧ୍ୟ ମୋଦୀ ଲହର ଆଗରେ ସମାଜବାଦୀ ପାର୍ଟି ଧରାଶାୟୀ ହୋଇଥିଲା।

ଏନ୍ଟିଆର୍‌-ଚନ୍ଦ୍ରବାବୁ ଲଢ଼େଇ

ତେଲଗୁ ଦେଶମ ପାର୍ଟି ପ୍ରତିଷ୍ଠାତା ଏନ୍‌ଟି ରାମାରାଓ ଓ ତାଙ୍କ ଜ୍ଵାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ଲଢ଼େଇ ସମସ୍ତଙ୍କୁ ଜଣା। ରାତାରାତି ତେଲଗୁ ଦେଶମ ପାର୍ଟିର ନିୟନ୍ତ୍ରଣ ନିଜ ହାତକୁ ନେଇଯାଇଥିଲେ ଚନ୍ଦ୍ରବାବୁ ନାଇଡୁ। ୧୯୯୫ରେ ଦଳରେ ବିଦ୍ରୋହ କରିଥିଲେ ଚନ୍ଦ୍ରବାବୁ। ନିଜେ ଦଳର ନେତା ହେବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚନ୍ଦ୍ରବାବୁ।

ମାପୁଅ କ୍ଷମତା ଯୁଦ୍ଧ

ଗୋଓ୍ଵାଲିୟରର ସିନ୍ଧିଆ ରାଜପରିବାରରେ ମଧ୍ୟ ରାଜନୈତିକ କ୍ଷମତାର ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ଲଢ଼େଇ ମା ଓ ପୁଅଙ୍କ ମଧ୍ୟରେ ହୋଇଥିଲା। ଏମିତି କି ଗୋଟିଏ ରାଜମହଲର ଗୋଟିଏ ଅଂଶରେ ମା’ ବିଜୟରାଜେ ସିନ୍ଧିଆ ଓ ଅନ୍ୟ ଅଂଶରେ ପୁଅ ମାଧବରାଓ ସିନ୍ଧିଆ ରହୁଥିଲେ। ବିଜୟାରାଜେ ବିଜେପିରେ ଥିବା ବେଳେ ମାଧବରାଓ କଂଗ୍ରେସର କ୍ଷମତାଶାଳୀ ନେତା ଥିଲେ।

ପ୍ରଥମେ କଂଗ୍ରେସ ଟିକଟରୁ ଦୁଇ ଥର ସାଂସଦ ହୋଇଥିଲେ ବିଜୟାରାଜେ। କିନ୍ତୁ ପରେ ତାଙ୍କର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଦ୍ଵାରିକା ପ୍ରସାଦ ମିଶ୍ରଙ୍କ ସହ ତାଙ୍କର ସମ୍ପର୍କ ଖରାପ ହେବାରୁ ସେ ପ୍ରଥମେ ସଂଯୁକ୍ତ ବିନୟ ଦଳ ଓ ପରେ ଜନସଂଘରେ ସାମିଲ ହୋଇଥିଲେ। ପରେ ଏହା ବିଜେପି ହୋଇଥିଲା। କିନ୍ତୁ ମାଧବରାଓ କଂଗ୍ରେସରେ ରହିଥିଲେ। ଉଭୟ ସଂଗଠନ ଓ କେନ୍ଦ୍ର ସରକାରରେ ତାଙ୍କର ବହୁତ ପ୍ରଭାବ ରହିଥିଲା। ଏପଟେ ମାପୁଅଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବଢ଼ିଯାଇଥିଲା। ରାଜମାତା ବିଜୟାରାଜେଙ୍କ ଝିଅ ଉଷା ରାଜେ, ବସୁନ୍ଧରା ରାଜେ ଓ ଯଶୋଧାରା ରାଜେ ସମସ୍ତେ ବିଜେପିରେ ଥିଲେ। ଅବଶ୍ୟ ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ ବିଦ୍ରୋହ କରି କଂଗ୍ରେସ ଛାଡ଼ିବା ସହ ବିଜେପିରେ ସାମିଲ ହୋଇଛନ୍ତି।

ଠାକ୍ରେ ପରିବାରରେ ଲଢ଼େଇ

ରାଜନୀତିରେ କ୍ଷମତା ପାଇଁ ଠାକ୍ରେ ପରିବାରରେ ମଧ୍ୟ ବିଭାଜନ ହୋଇଥିଲା। ବାଲାସାହେବ ଠାକ୍ରେ ଉଦ୍ଧବ ଠାକ୍ରେଙ୍କୁ ଶିବସେନାର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବା ପରେ ତାଙ୍କ ପୁତୁରା ରାଜ୍ଠାକ୍ରେ ଅସନ୍ତୁଷ୍ଟ ହୋଇଥିଲେ। ଏହାପରେ ରାଜ୍ଶିବସେନା ଛାଡ଼ି ମହାରାଷ୍ଟ୍ର ନବ ନିର୍ମାଣ ସଂଗଠନ ନାଁରେ ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ। ଏଥିରେ ସେ ବିଶେଷ ସଫଳ ହୋଇନଥିଲେ। ଅନ୍ୟପଟେ ଶିବସେନାକୁ ଏଥିପାଇଁ ଅଳ୍ପ ବହୁତ କ୍ଷତି ସହିବାକୁ ପଡ଼ିଥିଲା।

Tags: #Politics #IndianPolitics #PowerPolitics #FamilyWar

Comment