ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଏହି ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଶନିବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୨ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ୧୦୦ ମିଲିମିଟର ଯାଏଁ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।

ଓଡ଼ିଶାରେ ଏବେ ମୌସୁମୀର ନିମ୍ନ ଚାପ ସକ୍ରିୟ ରହିଛି। ଏହା ରାଜସ୍ଥାନରୁ ଆରମ୍ଭ କରି ବାଲେଶ୍ଵର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାଛଡ଼ା ଏବେ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣି ବଳୟ ମୌସୁମୀକୁ ଆହୁରି ବଳ ଦେଉଛି।

ଅନ୍ୟପଟେ ସାରା ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକଠାରୁ ୧୨ ପ୍ରତିଶତ ଅଧିକ ରହିଛି। ଶୁକ୍ରବାର ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ କଟକ ଜିଲ୍ଲାର ବାଙ୍କିରେ ୬୫ ମିଲିମିଟର, କେନ୍ଦୁଝର ଜିଲ୍ଲାର ଘଷିପୁରାରେ ୫୭.୪ ମିଲିମିଟର, ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ୫୭ ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୫୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ଚଳିତ ମୌସୁମୀ ଋତୁରେ ଏ ଯାଏଁ ଓଡ଼ିଶାରେ ୨୨୭.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମିମି ତୁଳନାରେ ୨୪ ପ୍ରତିଶତ କମ ରହିଛି। ହେଲେ ଜୁଲାଇ ମାସରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏହାର ଭରଣ ହୋଇଯିବାର ସମ୍ଭାବନା ରହିଛି।

Tags: #Monsoon #Rainfall #Odisha #MCBBSR #IMD

 

Comment