ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ଶୈବ ପୀଠ। ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ ମନାସୁଛନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ଵର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଏବଂ ଢେଙ୍କାନାଳର କପିଳାଶ ମନ୍ଦିର ଭଳି ପ୍ରମୁଖ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି।

ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାପ୍ରଭୁ ଶିବଙ୍କୁ ଜଳ ଲାଗି କରିବା ପାଇଁ କାଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ଗତ ଦିନେ ଦୁଇ ଦିନ ପୂର୍ବରୁ ବିଭିନ୍ନ ନଦୀରୁ ପାଣି ନେଇ ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

ରବିବାର ରାତିରେ ସବୁ କାଉଡ଼ିଆ ମନ୍ଦିରରେ ପହଞ୍ଚି ଜଳ ଲାଗି କରିବାକୁ ଅପେକ୍ଷା କରିଥିଲେ। ଏହାପରେ ସୋମବାର ଭୋରରୁ ମନ୍ଦିର ଖୋଲିବା ପରେ ଲାଇନ ଲଗାଇ ସେମାନେ ମହାଦେବଙ୍କୁ ଜଳ ଅର୍ପଣ କରିଛନ୍ତି।

ସେହିପରି ପ୍ରଥମ ସୋମବାରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ପ୍ରମୁଖ ଶୈବ ପୀଠମାନଙ୍କରେ ଅଧିକ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି।

ଅନ୍ୟପଟେ ଓଡ଼ିଶାର ବିଭିନ୍ନ ଜଳ ଉଠାଇବା ସ୍ଥାନ ତଥା ପ୍ରମୁଖ ନଦୀ ପଠାରେ କୌଣସି ଅଘଟଣରୁ ରକ୍ଷା କରିବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବାର ଟିମ ନିୟୋଜିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଉଡ଼ିଆମାନଙ୍କ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାବେଳେ ଜୁଲାଇ ମାସରେ ୧୦ ଓ ୧୭ ତାରିଖ ଦିନ ଜଳଲାଗି କରାଯିବ। ସେହିପରି ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମହାଦେବଙ୍କୁ ଜଳଲାଗି ହେବ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳ ଲାଗି କଲେ ସବୁ ମନସ୍କାମନା ପୂରଣ ହୁଏ ବୋଲି ମାନ୍ୟତା ରହିଛି। ଏଥିପାଇଁ କାଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ।

Tags: #SravanaMasa #Sombar #LordShivaTemple #BolBam

 

Comment