ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ ମନାସୁଛନ୍ତି। ଦ୍ୱିତୀୟ ସୋମବାରରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ଵର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଏବଂ ଢେଙ୍କାନାଳର କପିଳାଶ ମନ୍ଦିର ଭଳି ପ୍ରମୁଖ ଶୈବ ପୀଠରେ ଭୋରରୁ କାଉଡ଼ିଆଙ୍କ ପ୍ରବଳ ଗହଳି ଲାଗିଥିଲା।

ଆଜି ଦ୍ୱିତୀୟ ସୋମବାରରେ ହିଁ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ମହାଦେବଙ୍କୁ ଜଳଲାଗି କରିବାକୁ କଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ମନ୍ଦିରରେ କାଉଡ଼ିଆମାନେ ଲାଇନ ଲଗାଇ ଜଳ ଲାଗି କରିଛନ୍ତି।

ଜଳଲାଗି କରିବା ପାଇଁ କାଉଡ଼ିଆମାନେ ଗତ ଦିନେ ଦୁଇ ଦିନ ପୂର୍ବରୁ ବିଭିନ୍ନ ନଦୀରୁ ପାଣି ନେଇ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ରବିବାର ରାତିରୁ ମନ୍ଦିରରେ ପହଞ୍ଚି ଜଳ ଲାଗି କରିବାକୁ ଅପେକ୍ଷା କରିଥିଲେ। ଏହାପରେ ସୋମବାର ଭୋରରୁ ମନ୍ଦିର ଖୋଲିବାପରେ ଜଳଲାଗି କରିଛନ୍ତି।

ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଗହଳିକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଜଳ ଉଠାଇବା ସ୍ଥାନ ତଥା ପ୍ରମୁଖ ନଦୀ ପଠାରେ କୌଣସି ଅଘଟଣରୁ ସୁରକ୍ଷା କରିବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବାର ଟିମ ନିୟୋଜିତ ହୋଇଥିଲେ।

ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଜୁଲାଇ ମାସରେ ୧୦ ତାରିଖ ଓ ଆଜି ୧୭ ତାରିଖ ଦିନ ଜଳଲାଗି କରାଯାଇଛି। ସେହିପରି ଦ୍ଵିତୀୟ ଭାଗରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମହାଦେବଙ୍କୁ ଜଳଲାଗି ହେବ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳ ଲାଗି କଲେ ସବୁ ମାନସ୍କାମନା ପୂରଣ ହୁଏ ବୋଲି ମାନ୍ୟତା ରହିଛି। ଏଥିପାଇଁ କାଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ।

Tags: #SravanaMasa #Sombar #LordShivaTemple #BolBam

 

Comment