ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବାକୁ ଯାଉଛି ୨ଟି ଚିତାବିରାଡ଼ି ଓ ୨ଟି ବାନର ପ୍ରଜାତିର ହୁଲୁକ୍‌ ଗିବନ୍‌। ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଅରୁଣାଞ୍ଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଏମାନଙ୍କୁ ଅଣାଯିବ। ଏହାବଦଳର ସେଠାକୁ ନନ୍ଦନକାନନରୁ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ କୁମ୍ଭୀର ଯିବେ। ଏଥିପାଇଁ ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଦଳ ନନ୍ଦନକାନନରେ ପହଞ୍ଚିଛନ୍ତି।

ପୂର୍ବରୁ ହୋଇଥିବା ଚୁକ୍ତି ଅନୁସାରେ ଗୁରୁବାର ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଦଳ ବାଘ ରକି ଓ ‌ବାଘୁଣୀ ସୋହିନୀ ସହ ୩ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଥିଲେ। ଏହି ଦୁଇ ବାଘ ଓ ଘଡ଼ିଆଳ କୁମ୍ଭୀର ମାନଙ୍କୁ ଅଲଗା ଅଲଗା ସ୍ଵତନ୍ତ୍ର ଜନ୍ତାରେ ଭର୍ତ୍ତି କରାଯାଇଛି।

ଏହି ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାର ସେମାନଙ୍କୁ ଟ୍ରକରେ ନନ୍ଦନକାନନରୁ ଇଟାନଗର ନିଆଯିବ। ଏହି ପ୍ରାଣୀମାନଙ୍କ ସହ ନନ୍ଦନକାନନର ୬ ଜଣିଆ ପ୍ରାଣୀ ଚିକିତ୍ସକ ଦଳ ଇଟାନଗର ଗସ୍ତ କରିବ।

ସେଠାରୁ ଫେରିବା ସମୟରେ ଚିତାବିରାଡ଼ି ଓ ହୁଲୁକ୍‌ ଗିବନ୍‌ ନନ୍ଦନକାନନ ଆସିବେ। ଏହି ଚିତାବିରାଡ଼ି ଓ ହୁଲୁକ୍‌ ଗିବନଙ୍କୁ ଯୋଡ଼ି ଅଣାଯାଉଛି।  ଏମାନଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ମାଇ ଓ ଅଣ୍ଡିରା ପ୍ରାଣୀ ରହିଛନ୍ତି। ଫେରିବା ବେଳେ ଇଟାନଗରଯାଇଥିବା ନନ୍ଦନକାନନର ଡାକ୍ତରୀ ଦଳ ପ୍ରାଣୀମାନଙ୍କ ତଦାରଖ କରିବେ।

Tags: #NandankananZoologicalPark #WildlifeAnimals #AnimalConservation #Odisha

 

Comment